ଝାରସୁଗୁଡା:ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ବିଶ୍ବକପ୍ ହକି । ଦ୍ବିତୀୟ ଥର ପାଇଁ ଓଡ଼ିଶାକୁ ବିଶ୍ବକପ ଆୟୋଜନ ସୁଯୋଗ ମିଳିଛି । ଆୟୋଜିତ ହେବାକୁ ଥିବା ଏହି ହକି ବିଶ୍ବକପକୁ ଆୟୋଜନ କରିବାର ଦାୟିତ୍ୱ ନେଇଛି ଓଡ଼ିଶା । ତେବେ ଝାରସୁଗୁଡ଼ାର ପଡୋଶୀ ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସ୍ଥିତ ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ, କିନ୍ତୁ ଖେଳାଳିଙ୍କୁ ଆଣିବା ପାଇଁ ଏବେ ବିମାନ ଚିନ୍ତା ବଢ଼ିବାରେ ଲାଗିଛି ।
ଝାରସୁଗୁଡ଼ାରେ ରହିଛି ଓଡ଼ିଶାର ଦ୍ବିତୀୟ ବିମାନବନ୍ଦର । ଏହି ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ବିଭିନ୍ନ ସ୍ଥାନକୁ ଗମନାଗମନ ସୁବିଧା ସମ୍ଭବ ହୋଇଛି । କିନ୍ତୁ ବର୍ତ୍ତମାନ ଏହି ବିମାନବନ୍ଦରରେ ବିମାନସଂଖ୍ୟା ହ୍ରାସ ପାଉଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଯୋଗାଯୋଗ ବନ୍ଦ ହୋଇଥିବା ଭଳି ସମସ୍ୟା ସୃଷ୍ଟି ହୋଇଛି । ଯାହା ଆଗକୁ ହେବାକୁ ଥିବା ହକି ବିଶ୍ବକପ ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି ।