ଝାରସୁଗୁଡା: ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ ଉଜାଡି ଦେଇଛି ସୁନାର ଫସଲ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିଲା ଚାଷୀ । ଠିକ୍ ଅମଳ ସମୟରେ ଦାଉ ସାଝିଲା ଅଦିନିଆ ବର୍ଷା । ଉଜାଡି ଦେଲା ଏକର ଏକର ପରିବା ଚାଷ । ରୋଜଗାରର ଏକମାତ୍ର ଉତ୍ସ ହରାଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।
ଅଦିନିଆ ବର୍ଷାରେ ଉଜୁଡି ଗଲା ଅମଳ କ୍ଷେତ, କାନ୍ଦୁଛି ଚାଷୀ - ସମସ୍ୟାରେ ଝାରସୁଗୁଡା ଚାଷୀ
ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ ଉଜାଡି ଦେଇଛି ସୁନାର ଫସଲ । କ୍ଷୟକ୍ଷତିର ଆକଳନ କରି ସହାୟତାର ହାତ ବଢାଇବାକୁ ସରକାରଙ୍କୁ ସାଧାରଣରେ ଦାବି । ଅଧିକ ପଢନ୍ତୁ
ଝାରସୁଗୁଡା ଜିଲ୍ଲା କୁମୁଡ଼ାପାଲି, ସିରିଆପାଲି, ପାଲି ଗାଁ, ପତ୍ରାପାଲି, କୋଲାବିରା, ବଡ଼ବାହାଲ ଅଞ୍ଚଳରେ ଅଦିନିଆ ବର୍ଷା ଓ ପ୍ରବଳ କୁଆପଥର ମାଡ଼ ପନିପରିବା ଓ ତୈଳଜାତ ଫସଲର ବ୍ୟାପକ କ୍ଷୟକ୍ଷତି କରିଛି । ଯାହାଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପରିବାର ପ୍ରତିପୋଷଣ ପାଇଁ ତାଙ୍କର ଏକମାତ୍ର ମାଧ୍ୟମ ଉଜୁଡି ପଡିଥିବା ଦେଖି ଚାଷୀ ଆଖିରୁ ଶୁଖୁ ନାହିଁ ଲୁହ । କିଏ ମୁଣ୍ଡରେ ହାତଦେଇ ବସିଛି ତ ଆଉ କିଏ ଉଜୁଡା ଫସଲକୁ ସଜାଡିବାରେ ଲାଗି ପଡିଛି ।
ହେଲେ ବର୍ଷା ଉଜାଡି ଦେଇଥିବା ଏହି ଫସଲ ସବୁ ଆଉ ଉତ୍ପାଦନକ୍ଷମ ହେବ ନାହିଁ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । କାରଣ ଗଛ ମୂଳ ସାଙ୍ଗକୁ ଫଳ ସବୁ କିଛି ପାଣିରେ ପଡି ନଷ୍ଟ ହୋଇଯାଇଛି । ଗୋଟିଏ ପଟେ ରୋଜଗାରର ଏକ ମାତ୍ର ପନ୍ଥା ଉଜୁଡିଯାଇଛି, ଆଉ ଗୋଟେ ପଟେ ଧାର-କରଜ ବେଡି ଉପରେ କୋରଡା ମାଡ ସଦୃଶ ପାଲଟିଛି ।
ଆକାଶରୁ ସିନା ବର୍ଷା ଝରିଲା, ହେଲେ ଚାଷୀ ଆଖିର ଲୁହ ହୋଇ ବୋହିଗଲା । ତେବେ ସରକାର ତଥା ଜିଲ୍ଲା ପ୍ରଶାସନ ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହଯୋଗର ହାତ ବଢାଇବାକୁ ସାଧାରଣରେ ଦାବି ହେଉଛି । ନଚେତ ଚାଷୀକୂଳ ଭାସିଯିବା ସହ ଧିରେ ଧିରେ ଚାଷ ପ୍ରତି ମୁହଁ ଫେରାଇବେ ଚାଷୀ ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ