ଝାରସୁଗୁଡା:ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣା । ଗୁଜୁରାଟରେ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପରେ ଝାରସୁଗୁଡା ଫେରିଲା ଅଭିଯୁକ୍ତ ଗୋପାଳ ଦାସ । ଗତକାଲି ରାତିରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଧରି ଝାରସୁଗୁଡ଼ାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ । ଏହାପରେ ଝାରସୁଗୁଡା ବିମାନ ବନ୍ଦର ଥାନାକୁ ଗୋପାଳକୁ ଅଣାଯାଇଥିବା ବେଳେ ପରେ ଓଏସଏପି ଦ୍ଵିତୀୟ ବାଟାଲିୟନକୁ ନିଆଯାଇଥିଲା । ଆଜି ଗୋପାଳର ରିମାଣ୍ଡ ଅବଧି ଶେଷ ହେବାକୁ ଥିବା ବେଳେ ଜେଏମଏଫସି କୋର୍ଟରେ ହାଜର ଗୋପାଳକୁ ହାଜର କରାଯିବ । ନାର୍କୋ ଟେଷ୍ଟ ସମୟରେ ଗୋପାଳର ବୟାନକୁ ଭିଡିଓ ରେକର୍ଡିଂ କରାଯାଇଥିବା ବେଳେ ଏହାକୁ ଆଜି କ୍ରାଇମବ୍ରାଞ୍ଚ କୋର୍ଟରେ ଦାଖଲ କରିପାରେ ।
ଗତକାଲି(ରବିବାର) ଗୁଜୁରାଟର ଗାନ୍ଧୀନଗର ସ୍ଥିତ ଏଫଏସଏଲରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଥିଲା । କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ ଅଭିଯୁକ୍ତ ଗୋପାଳକୁ ଧରି ଗୁଜୁରାଟରେ ପହଞ୍ଚିଥିଲା । ଗୋପାଳର ନାର୍କୋ ଟେଷ୍ଟ କରିଥିବା FSL ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଗୋପାଳ ଦାସ ନିଜେ ନାର୍କୋ ପରୀକ୍ଷାରେ ମାନସିକ ସ୍ତରରେ ଅସୁସ୍ଥ ଥିବା ଦାବି କରିଥିଲା ।
ସେ ଗତ ଦୁଇ ମାସ ଧରି କୌଣସି ଔଷଧ ସେବନ କରିନଥିଲା । ଫଳରେ ତାର ମାନସିକ ସ୍ଥିତି ଆହୁରି ବିଗିଡି ଯାଇଥିଲା । ମାନସିକ ଅସ୍ଥିରତା ପାଇଁ ରାଗରେ ସେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ଚଳାଇଥିବା ଅଭିଯୁକ୍ତ ଗୋପାଳ ନାର୍କୋ ଟେଷ୍ଟରେ ସ୍ବୀକାର କରିଥିବା ସୂଚନା ମିଳିଛି । ଏହାପରେ ଓଡିଶା ଅଭିମୁଖେ ବାହାରିଥିଲା ଗୋପାଳ ।