ଝାରସୁଗୁଡ଼ା : ଝାରସୁଗୁଡା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ । ବାପା ପୁଅ ସମେତ ୪ଜଣଙ୍କୁ ବାନ୍ଧିଲା ପୋଲିସ । ଝାରସୁଗୁଡ଼ା ବେହେରାମାଲ ସ୍ଥିତ ହୋଟେଲ କଳିଙ୍ଗା ବାରରେ ଘଟିଥିବା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ । ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଦୀପକ ସାହୁ ଓ ପୁଅ ଅର୍ଜୁନ ସାହୁ ସମେତ ମୁନୁ ପାଣ୍ଡେ ଏବଂ ବାବୁ ଖାନକୁ ଗିରଫ କରିଛି ପୋଲିସ । ଏମାନଙ୍କ ଠାରୁ ଦୁଇଟି ବନ୍ଧୁକ, 4ଟି ଜୀବନ୍ତ ଗୁଳି, ଦୁଇଟି ମୋବାଇଲ ଫୋନ ଏବଂ ଏକ ଧଳା ସ୍କର୍ପିଓ ଗାଡ଼ିକୁ ଜବତ କରାଯାଇଛି ।
ଝରସୁଗୁଡା ଏସପି ରାହୁଲ ଜୈନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପକ ସାହୁ ନାଁରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ସୂଚନା ମୁତାବକ ଗତ 4 ତାରିଖ ବଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ଝାରସୁଗୁଡ଼ା ବସଷ୍ଟାଣ୍ଡ ନିକଟ ପୁରୁଣାବସ୍ତି ଅଞ୍ଚଳର ଛୋଟୁ ସେନ୍ଦେରିଆ ଏବଂ ଅର୍ଜୁନ ସାହୁଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା ।
ପରବର୍ତ୍ତୀ ସମୟରେ ଛୋଟୁ ସେନ୍ଦେରିଆ ମିମାନସା ପାଇଁ ଅର୍ଜୁନ ସାହୁ ପାଖକୁ ବେହେରାମାଲ ସ୍ଥିତ କଳିଙ୍ଗା ବାରକୁ ଯାଇଥିଲେ । ସେଠାରେ ସମାଧାନ ତ ଦୂରର କଥା ପୁଣି ଉଭୟ ଅର୍ଜୁନ ଓ ଛୋଟୁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏତିକିରେ ଅର୍ଜୁନ ସାହୁ ଫୋନ କରି ତାଙ୍କ ବାପା ଦୀପକ ସାହୁଙ୍କୁ ଡାକିଥିଲେ । ସେଠାରେ କଥା ସମାଧାନ ହେବା ବଦଳରେ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା ।