ଝାରସୁଗୁଡା:ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ । ଗାଁ ଗଣ୍ଡାରେ ଦେଖିବାକୁ ମିଳିଲାଣି ନିର୍ବାଚନୀ ତାତି। କେଉଁଠି ଶିକ୍ଷିତ ପ୍ରାର୍ଥୀ ତ ପୁଣି କେଉଁଠି ପରିବାର ସଦସ୍ୟଙ୍କ ମଧ୍ୟରେ ଚାଲିଛି ଲଢେଇ। ହେଲେ ନିର୍ବାଚନରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଆପଣ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ସରପଞ୍ଚ ଆସନ ପାଇଁ ବାପ ପୁଅ କରୁଛନ୍ତି ପ୍ରତିଦ୍ବନ୍ଦିତା। ତାହା ପୁଣି ଜ୍ୟୋତିଷଶାସ୍ତ୍ରକୁ ବିଶ୍ବାସ କରି। ଆମେ କହୁଛୁ ଝାରସୁଗୁଡା ଜିଲ୍ଲା ପିପିଲିମାଲ ପଞ୍ଚାୟତର କଥା। ବର୍ତ୍ତମାନ ବାପ ପୁଅଙ୍କ ନିର୍ବାଚନ ଲଢେଇକୁ ନେଇ ଚାରିଆଡେ ଚର୍ଚ୍ଚା ।
ଝାରସୁଗୁଡା ଜିଲ୍ଲା ପିପିଲିମାଲ ପଞ୍ଚାୟତରେ ସରପଞ୍ଚ ଆସନ ପାଇଁ ଦେଖିବାକୁ ମିଳୁଛି ଜୋରସୋରରେ ପ୍ରତିଦ୍ୱନ୍ଦିତା । ସରପଞ୍ଚ ଆସନ ପାଇଁ ଏଠାରେ ୧୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ବାପା ପୁଅ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ ରଖି ନିଜ ଜ୍ୟୋତିଷଙ୍କ କଥା ଶୁଣିଲା ପରେ ଉଭୟେ ସରପଞ୍ଚ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିିଛନ୍ତି । ପ୍ରଥମେ ବାପା ଜନ୍ମଜୟ କିସାନ(୬୮) ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ କରି ନୟାଗଡ ଜିଲ୍ଲାରେ ରହୁଥିବା ନିଜର ଜ୍ୟୋତିଷଙ୍କ ସହ କଥା ହୋଇଥିଲେ ।
ହେଲେ ଜ୍ୟୋତିଷ ଜନ୍ମଜୟଙ୍କ ବିଜୟ ସମ୍ଭାବନା କମ ରହିଛି ଏବଂ ତାଙ୍କ ପୁଅ ଘନଶ୍ୟାମ କିଶାନ(୪୦)ଙ୍କ ବିଜୟ ସମ୍ଭାବନା ଅଧିିକ ରହିଛି ବୋଲି କହଥିିଲେ । ଏହା ପରେ ଘନଶ୍ୟାମ ମଧ୍ୟ ସରପଞ୍ଚ ଆସନ ପାଇଁ ପିପିଲିମାଲ ପଂଚାୟତରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପୁଅ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲା ପରେ ବାପା ଜନ୍ମଜୟ କିସାନ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଯୋଜନା କରିଥିଲେ । ହେଲେ ତାଙ୍କର ଦେହ ଅସୁସ୍ଥ ହେବାରୁ ବ୍ଲକ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିଲେ ନାହିଁ । ଫଳରେ ଏବେ ଉଭୟ ବାପ ପୁଅ ସରପଂଚ ଆସନ ପାଇଁ ପିପିଲିମାଲରୁ ପ୍ରାର୍ଥୀ ହୋଇଛନ୍ତି ।