ଝାରସୁଗୁଡା: ନିଅଣ୍ଟିଆ ବର୍ଷା ପାଇଁ ଆଗେଇ ପାରିଲା ନାହିଁ ଚାଷ କାର୍ଯ୍ୟ । ଝାରସୁଗୁଡା ଜିଲ୍ଲାରେ ଏବେବି ୩୦ରୁ ୪୦ପ୍ରତିଶତ ଜମି ପଡ଼ିଆ ପଡ଼ିଛି । ସମ୍ପ୍ରତି ଚାଷୀ ପଞ୍ଜୀକରଣ ଜାରି ରହିଥିବା ବେଳେ ଚାଷୀଙ୍କ ଆବେଦନ ପତ୍ର ଗ୍ରହଣ ଅବିଧି ଶେଷ ହୋଇଗଲାଣି । ଜୁଲାଇ ୩୧ ତାରିଖ ପୂର୍ବରୁ ଯେଉଁ ଚାଷୀମାନେ ଆବେଦନ ପତ୍ର ନେଇ ନାହାନ୍ତି ସେମାନେ ପଞ୍ଜୀକରଣ କରିପାରିବେ ନାହିଁ । ସରକାରଙ୍କ ଏଭଳି ନୀତିକୁ ଝାରସୁଗୁଡ଼ାର ଚାଷୀମାନେ ଘୋର ବିରୋଧ କରିଛନ୍ତି । ପଞ୍ଜିକରଣ ଅବିଧି ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ଥିବାରୁ ଆବେଦନ ସଂଗ୍ରହର ଅବିଧି ମଧ୍ୟ ସେ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି ଦାବି କରାଯାଇଛି ।
ଏହାବ୍ୟତୀତ ଚାଷ ଆରମ୍ଭ ହୋଇପାରି ନ ଥିବା ବେଳେ ପଞ୍ଜିକରଣର ଆବେଦନ ପତ୍ରରେ ଧାନ ବିକ୍ରି ସମୟ ଉଲ୍ଲେଖ କରିବାକୁ କୁହାଯାଉଛି । ସେ ଅନୁସାରେ ଟୋକନ ପଞ୍ଜିକରଣ ହୋଇ ଚାଷୀଙ୍କ ନିକଟକୁ ଆସିବ । ତେବେ ବର୍ଷା ଅଭାବ ହେତୁ ଚାଷୀମାନେ ଚାଷ କାର୍ଯ୍ୟ କିପରି କରିବେ ତାହା ଅନିଶ୍ଚିତତାରେ ମଧ୍ୟରେ ରହିଛି । ଧାନ ବିକ୍ରିର ସମୟ ଏବେ ଠୁ କେମିତି ଉଲ୍ଲେଖ କରି ହେବ ବୋଲି ପ୍ରଶ୍ନ କରିଛନ୍ତି ।