ଝାରସୁଗୁଡା: ସ୍ବାସ୍ଥ୍ୟସେବାକୁ ନେଇ ପୁଣି ଉଠିଲା ପ୍ରଶ୍ନବାଚୀ । ନସବନ୍ଦୀ ବେଳେ ଜଣେ ମହିଳାଙ୍କ ଖାଦ୍ୟନଳୀ କାଟିଥିବା ଅଭିଯୋଗ । ଓଡିଶା-ଛତିଶଗଡ଼ ସୀମାନ୍ତ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କୁହାକୁଣ୍ଡା ଗାଁରେ ସ୍ବାସ୍ଥ୍ୟସେବାକୁ ନେଇ ଆସିଛି ସାଘାଂତିକ ଅଭିଯୋଗ ।
ପରିବାର ନିୟନ୍ତ୍ରଣ ଅପରେସନ ବେଳେ କଟିଲା ଖାଦ୍ୟନଳୀ ଝାରସୁଗୁଡା ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ନସବନ୍ଦୀ ବେଳେ ତ୍ରୁଟି ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ନସବନ୍ଦୀ ଅସ୍ତ୍ରୋପଚାର ବେଳେ ଡାକ୍ତର ମହିଳାଙ୍କ ଖାଦ୍ୟନାଳୀ କାଟି ଦେଇଛନ୍ତି। ମହିଳାଙ୍କ ଅବସ୍ଥା ଏବେ ଗୁରୁତର ହୋଇଛି। ତାଙ୍କୁ ବୁର୍ଲା ମେଡିକାଲରେ ଚିକିତ୍ସା କରାଯାଉଛି।
ଡାକ୍ତରଙ୍କ ବେପରୁଆ ଅସ୍ତ୍ରୋପଚାର, ନସବନ୍ଦୀ ବେଳେ କଟିଲା ଖାଦ୍ୟନଳୀ ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମହିଳାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ସହିତ ଏପରି ବେପରୁଆ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ଗତ ମଙ୍ଗଳବାର ଲଖନପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଯୋଜନାରେ ମହିଳାଙ୍କ ଅସ୍ତ୍ରୋପଚାର ଶିବିର ଚାଲିଥିଲା । କନକତୋରା ପଞ୍ଚାୟତ କୁହାକୁଣ୍ଡା ଗାଁ ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ ଏଠାକୁ ଅସ୍ତ୍ରୋପଚାର ପାଇଁ ଆସିଥିଲେ । ଅସ୍ତ୍ରୋପଚାର ସମୟରେ ଭୁଲରେ ଡାକ୍ତର ତାଙ୍କ ଖାଦ୍ୟ ନଳୀ କାଟି ଦେଇଥିଲେ । ଫଳରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା।
ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ପରେ ବୁର୍ଲା ହସ୍ପିଟାଲକୁ ନିଆଯାଇଛି। ଏଭଳି ତ୍ରୁଟିପୂର୍ଣ୍ଣ ଚିକିତ୍ସା ମହିଳାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିବା ପରେ ଜିଲ୍ଲାରେ ସରକାରୀ ସ୍ବାସ୍ଥ୍ୟସେବାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ତେବେ ଡାକ୍ତରଙ୍କ ଭୁଲ ଯୋଗୁଁ ଏପରି ଘଟଣା ଘଟିଥିବାରୁ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପରିବାର ଲୋକ ଦାବି କରିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ