ଝାରସୁଗୁଡ଼ା : ଝାରସୁଗୁଡ଼ା : ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି । ଏନେଇ ଆଜି ଝାରସୁଗୁଡା ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡିଶାର ଓକିଲମାନେ ଆନ୍ଦୋଳନ କରୁଥିବାବେଳେ ସୁପ୍ରିମକୋର୍ଟ ପକ୍ଷରୁ ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଓକିଲ ସଂଘର ବିକ୍ଷୋଭ ଏହାସହ ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସକୁ ବାତିଲ କରିବା ପାଇଁ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି । ତେବେ ସୁପ୍ରିମ କୋର୍ଟ କରିଥିବା ଏହି ଅର୍ଡର ଏକ ତରଫା ହେବାସହ ପଶ୍ଚିମ ଓଡିଶାର ଓକିଲଙ୍କ ପ୍ରତି ଅନ୍ୟାୟ ଅଟେ । ତେଣୁ ଏହାକୁ ଓକିଲ ସଂଘ ଦୃଢ଼ ନିନ୍ଦା କରୁଛି ବୋଲି ବୋଲି ଝାରସୁଗୁଡା ଓକିଲ ସଙ୍ଘ ପକ୍ଷରୁ କୁହାଯାଇଛି । ଏହାସହ ପଶ୍ଚିମ ଓଡ଼ିଶାରେ ଶୀଘ୍ର ହାଇକୋର୍ଟ ବେଞ୍ଚ ସ୍ଥାପନ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ । ନହେଲେ ଓକିଲ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
ଏ ସମ୍ପର୍କରେ ଜିଲ୍ଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ କହିଛନ୍ତି, ''ସୁପ୍ରିମକୋର୍ଟ ଯେଉଁ ଅର୍ଡର କରିଛନ୍ତି ତାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଏହା ପଶ୍ଚିମ ଓଡ଼ିଶା ଓକିଲମାନଙ୍କ ପ୍ରତି ଅନ୍ୟାୟ । ଲାଇସେନ୍ସ ବାତିଲ କରିବା ପାଇଁ ଓକିଲମାନଙ୍କୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ପଶ୍ଚିମ ଓଡ଼ିଶାରେ ଓକିଲମାନେ ଯେଉଁ ଆନ୍ଦୋଳନ କରିଛନ୍ତି ହାଇକୋର୍ଟ ବେଞ୍ଚ ପାଇଁ ଦାବି କରୁଛନ୍ତି ତାହା ସମ୍ପୂର୍ଣ୍ଣ ବେଆଇନ । କୋର୍ଟ କଚେରୀ କାହିଁକି ବନ୍ଧ କରୁଛନ୍ତି ବୋଲି ଆଡଭୋକେଟ ଜେନେରାଲ ଓଡ଼ିଶା ଏବଂ ଓଡ଼ିଶା ହାଇକୋର୍ଟ ରେଜିଷ୍ଟାର ଅଭିଯୋଗ କରିଛନ୍ତି । ଏପରିକି ଦିଲ୍ଲୀକୁ ଯାଇ ଏକ ମାମଲା ବି ରୁଜୁ କରିଛନ୍ତି । ତେଣୁ ସୁପ୍ରିମକୋର୍ଟ ଏକତରଫା ଅର୍ଡର ପାସ କରିଛନ୍ତି ।
ଓକିଲମାନଙ୍କ ଆନ୍ଦୋଳନ ବେଆଇନ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ପୁଣି ଯଦି ଓକିଲମାନେ ଆନ୍ଦୋଳନ କରନ୍ତି ତେବେ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ । ଏଣୁ ସଂଘ ପକ୍ଷରୁ ଆମେ ନିଷ୍ପତ୍ତି ନେଇଛୁ ଏବଂ ସୁପ୍ରିମକୋର୍ଟଙ୍କ ରାୟକୁ ନିନ୍ଦା କରୁଛୁ । ଏଣୁ ଆମେ ଆଜି ବିକ୍ଷୋଭ ପ୍ରଦର୍ଶନ କରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆମେ ସ୍ମାରକ ପତ୍ର ଦେଇଛୁ । ବିନା ନୋଟିସରେ ବାର ଆସୋସିଏସନର ପକ୍ଷ ନଶୁଣି ସୁପ୍ରିମକୋର୍ଟ ଏକତରଫା ଅର୍ଡର କରିଛନ୍ତି । ଏହା ସଂପୂର୍ଣ୍ଣ ଭାବେ ବେଆଇନ । ''
ଇଟିଭି ଭାରତ, ଝାରସୁଗୁଡ଼ା