ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତକୁ ତଦାରଖ କରିବାକୁ ଗତକାଲି ଝାରସୁଗୁଡ଼ା ଆସିଥିଲେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ । ତାଙ୍କ ସହ ପୋଲିସ ଡିଜି, ଆଇନ ଶୃଙ୍ଖଳା ଏଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ଝାରସୁଗୁଡ଼ା ଗସ୍ତରେ ଆସିଥିଲେ । ଆଜି ଘଟଣାସ୍ଥଳ ପରିଦର୍ଶନ ପରେ କ୍ରାଇମବ୍ରାଞ୍ଚ ଓ ଫରେନ୍ସିକ ଟିମ୍ ସହିତ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା ସେମାନେ ଭୁବନେଶ୍ବର ଫେରିଯାଇଛନ୍ତି । ସେପଟେ ଆଜି ଅଭିଯୁକ୍ତ ଗୋପାଳର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେଉଥିବାବେଳେ ଆଉ ୫ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଏହି ସମୟରେ ନାର୍କୋ ଟେଷ୍ଟ ପାଇଁ ଗୋପାଳକୁ ଗୁଜୁରାଟ ନିଆଯିବ ବୋଲି ସୂଚନା ମିଳିଛି ।
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଗୁରୁବାର ଅଭିଯୁକ୍ତ ଗୋପାଳର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ଗତକାଲି ତାକୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍ର ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ । ଏହାପରେ ଘଟଣାରେ ତଦନ୍ତକୁ ତଦାରଖ କରିବା ପାଇଁ ଗତକାଲି ଝାରସୁଗୁଡ଼ାରେ ପହଞ୍ଚିଥିଲେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ତାଙ୍କ ସହ ପୋଲିସ ଡିଜି, ଆଇନ ଶୃଙ୍ଖଳା ଏଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ଝାରସୁଗୁଡ଼ା ଗସ୍ତରେ ଆସିଥିଲେ । ଆଜି ସକାଳୁ ଜଷ୍ଟିସ ଦାସଙ୍କ ସହ ପୋଲିସ ଡିଜି ସୁନୀଲ ବଂଶଲ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ ।