ଝାରସୁଗୁଡା: ଚୀନରୁ ସୃଷ୍ଟି ହୋଇ କ୍ରମଶଃ ଅନ୍ୟ ଦେଶକୁ ବ୍ୟାପୁଥିବା କୋରୋନା ଭାଇରସ୍ ଆତଙ୍କକୁ ଦୃଷ୍ଟିରେ ରଖି ଗତକାଲି ଠାରୁ ଆଡଭାଇଜରି ଜାରି କରିଛି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ । ଏନେଇ ରାଜ୍ୟର ପ୍ରମୁଖ ପ୍ରମୁଖ ଡାକ୍ତରଖାନାକୁ ଚିଠି ପଠାଯାଇଛି । ଏହି ଭାଇରସ୍ର ଚିହ୍ନଟ ଓ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ କୋରୋନା ଭାଇରସ୍ ଆତଙ୍କକୁ ନେଇ ନୋଟିସ ଜାରି କରାଯାଇଛି । ବିମାନବନ୍ଦରରେ ସଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଲେଖା ଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ଅନ୍ୟପଟେ ଝାରସୁଗୁଡ଼ା ହସ୍ପିଟାଲ୍ରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଆକ୍ରାନ୍ତ ହୋଇଥିବା ସଦିଗ୍ଧ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଓ୍ଵାର୍ଡ ପ୍ରସ୍ତୁତି, ଜଣେ ନୋଡ଼ାଲ ଅଫିସର ନିଯୁକ୍ତି ଓ ଚିକିତ୍ସା କମିଟି ଗଠନ ପାଇଁ ନିର୍ଦ୍ଦେଶ ମିଳିଛି । ସେହିପରି ରେଳବାଇକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ତାଗିଦ କରିଛି ସ୍ବାସ୍ଥ୍ୟ ବିଭାଗ ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ପାଇବା ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ଏପରିକି ଝାରସୁଗୁଡା ବିମାନବନ୍ଦର ଦେଇ ସିଧାସଳଖ କୋଲକାତା ଓ ନୂଆଦିଲ୍ଲୀକୁ ବିମାନ ଚଳାଚଳ କରୁଥିବା ଯୋଗୁଁ ଚୀନ, ହଂକଂ ଓ ଥାଇଲାଣ୍ଡ ପ୍ରମୁଖ ଅଞ୍ଚଳରୁ ଆସୁଥିବା ଯାତ୍ରୀଙ୍କ ଠାରେ ସନ୍ଦିଗ୍ଧ ଭୁତାଣୁ ଚିହ୍ନଟ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ବିମାନ ବନ୍ଦର ଠାରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ।
'କରୋନା ଭାଇରସ' ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଅନ୍ୟପଟେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ) ଡାକ୍ତର ଜଗଦୀଶ ବାରିକ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଏ ବାବଦରେ ଆଲୋଚନା କରି ସେଠାରେ ଏକ ସ୍ବତନ୍ତ୍ର କୋଠରୀର ବ୍ୟବସ୍ଥା କରିଛନ୍ତି । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ସ୍ବତନ୍ତ୍ର ସେଲ ଖୋଲା ଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ସିଡିଏମଓ । ଅନ୍ୟପଟେ ଝାରସୁଗୁଡା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଥିବା କହିଛନ୍ତି ବିମାନ ବନ୍ଦରର ଭାରପ୍ରାପ୍ତ ନିର୍ଦ୍ଦେଶକ ପି.କରୁଣାକରନ ।
ଝାରସୁଗୁଡାରୁ ରବିନାରାୟଣ ସାହୁ,ଇଟିଭି ଭାରତ