ଝାରସୁଗୁଡ଼ା: ଚୌକିପଡା ରେଲୱେ ଓଭରବ୍ରିଜ ନିର୍ମାଣରେ ଚୌକିପଡା ବସ୍ତିକୁ ଉଚ୍ଛେଦ କରି ଝାରସୁଗୁଡ଼ା ପୌରପରିଷଦର ୯ ନଂ ୱାର୍ଡ ଅନ୍ତର୍ଗତ କାପୁମାଲ ଓ ଫଟାମାଲ ନିକଟକୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ ହୋଇଛି ଜମି । ତେବେ ଏନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ, କାପୁମାଲ ଏବଂ ଫଟାମାଲ ମଧ୍ୟରେ ବିବାଦ ଲାଗିରହିଛି । ବିଗତ ୪ଦିନ ଧରି ଏନେଇ ବିବାଦ ଲାଗି ରହିଛି । ଏନେଇ ମନ୍ତ୍ରୀ ନବ କିଶୋର ଦାସ ମୁହଁ ଖୋଲିଛନ୍ତି । ପ୍ରତିକ୍ରିୟାରେ ଆଇନ ତା ବାଟରେ ଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଝାରସୁଗୁଡା ଚୌକିପଡା ରେଲୱେ ଓଭରବ୍ରିଜ ନିର୍ମାଣ ହେବାକୁ ଥିବାରୁ ସେଠିକାର ପରିବାରଙ୍କୁ ଥଇଥାନ କରିବା ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଅନ୍ୟତ୍ର ସ୍ଥାନ ଚିହ୍ନଟ କରିଛନ୍ତି । ଝାରସୁଗୁଡ଼ା ପୌରପରିଷଦର ୯ ନଂ ୱାର୍ଡ ଅନ୍ତର୍ଗତ କାପୁମାଲ ଓ ଫଟାମାଲ ନିକଟରେ ଥିବା ଖେଳ ପଡ଼ିଆରେ ସେମାନଙ୍କୁ ଜାଗା ଦେଇ ଥଇଥାନ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ । ତେବେ ଫଟାମାଲ ଓ କାପୁମାଲ ବାସିନ୍ଦା ଏହାକୁ ବିରୋଧ କରିଛନ୍ତି । ଫଳରେ ବିଗତ ୪ ଦିନ ଧରି ଉତ୍ତେଜନା ଲାଗିରହିଥିବା ବେଳେ ଶନିବାର ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।