ଓଡିଶା

odisha

ETV Bharat / state

Jharsuguda By Poll: ପ୍ରଚାର ମୈଦାନରେ ନବୀନ, ଝାରସୁଗୁଡ଼ାବାସୀଙ୍କୁ ନ୍ୟାୟ କେବେ ପଚାରିଲା କଂଗ୍ରେସ - ଝାରସୁଗୁଡ଼ାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଝାରସୁଗୁଡ଼ା ଉପନିର୍ବାଚନରେ ପୂର୍ବରୁ ପ୍ରେସମିଟ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛି କଂଗ୍ରେସ । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦାୟୀ କରି ପ୍ରଶ୍ନ ପଚାରିବା ସହ ଉଭୟ ଦଳର ବ୍ୟବହୁଳ ନିର୍ବାଚନ ପ୍ରଚାରକୁ ନିର୍ବାଚନ କମିଶନ ନିଜ ଆଡ଼ୁ ତଦନ୍ତ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ାବାସୀଙ୍କୁ ନ୍ୟାୟ କେବେ ପଚାରିଲା କଂଗ୍ରେସ
ଝାରସୁଗୁଡ଼ାବାସୀଙ୍କୁ ନ୍ୟାୟ କେବେ ପଚାରିଲା କଂଗ୍ରେସ

By

Published : May 7, 2023, 10:53 PM IST

ଝାରସୁଗୁଡ଼ାବାସୀଙ୍କୁ ନ୍ୟାୟ କେବେ ପଚାରିଲା କଂଗ୍ରେସ

ଭୁବନେଶ୍ବର/ଝାରସୁଗୁଡ଼ା: କମ୍ପୁଛି ଝାରସୁଗୁଡ଼ା, ଜମୁଛି ପ୍ରଚାର । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର ଜାରି ରହିଛି । ତେବେ ରବିବାର ପ୍ରଦେଶ କଂଗ୍ରେସ କମିଟି ତରଫରୁ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପିସିସି ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହରାଙ୍କ ନେତୃତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ପ୍ରଶ୍ନବାଣ ଛାଡ଼ିଥିଲେ ।

ନବ ଦାସଙ୍କ ହତ୍ୟାକାଣ୍ଡରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ପ୍ରଶ୍ନ କରିଛି, "ଝାରସୁଗୁଡ଼ାବାସୀଙ୍କୁ ନ୍ୟାୟ ମିଳିବ କେବେ ? କେବେ ଜଣାପଡ଼ିବ ନବ ଦାସଙ୍କ ହତ୍ୟାର କାରଣ ? କେବେ ଚିହ୍ନଟ ହେବେ ହତ୍ୟାକାଣ୍ଡର ସଂପୃକ୍ତ ଷଡ଼ଯନ୍ତ୍ରକାରୀ ? କେବେ ପ୍ରତିନିଧି ବିହୀନ ଝାରସୁଗୁଡ଼ାବାସୀ ହତ୍ୟାକାଣ୍ଡ ନେଇ ତଦନ୍ତର ଅଗ୍ରଗତି ବିଷୟରେ ଅବଗତ ହେବେ ? ଏପରି ଏକ ସମ୍ବେଦନଶୀଳ ହତ୍ୟା ପ୍ରସଙ୍ଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିରବତା କେବେ ଭାଙ୍ଗିବ ?" ଆଜି ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ନିର୍ବାଚନୀ ସଭାରେ ଏହାର ଉତ୍ତର ରଖନ୍ତୁ ବୋଲି କଂଗ୍ରେସ ଦାବି କରିଥିଲା । ଦ୍ବିତୀୟରେ ବେରୋଜଗାର ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସେ ପଚାରିଥିଲେ, "କାହିଁକି ଝାରସୁଗୁଡ଼ା ଅଞ୍ଚଳର ବେକାର ଯୁବକ ଯୁବତୀ ନିଯୁକ୍ତିରୁ ବଞ୍ଚିତ ? କାହିଁକି ବେସରକାରୀ କଳକାରଖାନାରେ ୭୫ ଭାଗ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାର ଚୁକ୍ତିନାମା ସତ୍ତ୍ବେ ୭୫ ପ୍ରତିଶତ ନିଯୁକ୍ତି ମିଳୁନାହିଁ ? କାହିଁକି ପରିବେଶ ଆଇନ ଓ ଶିଳ୍ପ ସଂସ୍ଥାମାନଙ୍କ ସହ ହୋଇଥିବା ଚୁକ୍ତିନାମାର ଖୋଲା ଉଲ୍ଲଙ୍ଘନ ହେଉଛି ? କାହିଁକି ଝାରସୁଗୁଡ଼ାର ପ୍ରାକୃତିକ ଜଳାଶୟ ଗୁଡ଼ିକ ଶିଳ୍ପ ସଂସ୍ଥାରୁ ନିର୍ଗତ ପାଉଁଶ ଗଦାରେ ପୋତି ହୋଇଗଲାଣି ?" ଲୋକଙ୍କ ଜୀବନ ଓ ଜୀବିକା ପ୍ରତି କାହିଁକି ସରକାରୀ ଉଦାସୀନତା ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା । ଶେଷରେ ଚାଷୀମାନଙ୍କ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ ବିଜୟ । କେଉଁ ଅପରାଧ ପାଇଁ ଦୀର୍ଘ ୨୩ ବର୍ଷ ଶାସନରେ ଚାଷୀଙ୍କ ଦୁର୍ଦ୍ଦଶା ଦୂର ହେଲା ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ ।

ଏହାସହ ବିଜେପିର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ସୁନ୍ଦରଗଡ଼ ଜିଲ୍ଲାରେ ଝାରସୁଗୁଡ଼ା ଜିଲ୍ଲା ଅଧିବାସୀଙ୍କୁ ବାହାର ଲୋକ କହି ଘଉଡ଼ାଇ ଦେଇଥିବା ବେଳେ ଆଜି କେଉଁ ଅଧିକାରରେ ସେହି ବାହାର ଲୋକଙ୍କଠାରୁ ସମର୍ଥନ ମାଗୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜୟ । କଂଗ୍ରେସର ଯୁବନେତା ତଥା ବରଗଡ଼ର ଲୋକସଭା ପ୍ରାର୍ଥୀ ପ୍ରଦୀପ ଦେବତା ଏହି ସମ୍ମିଳନୀରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପନା କରିଥିଲେ । ସେ କହିଥିଲେ, "ଝାରସୁଗୁଡ଼ା ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଗୋଟିଏ ସରକାରୀ ମହାବିଦ୍ୟାଳୟ ନଥିବା ଦୁଃଖଦାୟକ । ଏହା ବ୍ୟତୀତ ବେଦାନ୍ତ ଶିଳ୍ପସଂସ୍ଥା ଶତକଡ଼ା ୯୦ ଭାଗ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଚୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ତାହାର ଏକ ତୃତୀୟାଂଶ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଲାନାହିଁ ।" ସେହିଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ ବିଭିନ୍ନ ସମ୍ବାଦ ପତ୍ରରେ କଂଗ୍ରେସ ନିର୍ବାଚନୀ ଖବର ସ୍ଥାନ ପାଉନଥିବାରୁ ଚିନ୍ତା ପ୍ରକଟ କରିଥିଲେ । ସେ ଉଭୟ ବିଜେଡି ଓ ବିଜେପି ଦଳର ଅଭାବନୀୟ ବ୍ୟୟବହୁଳ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମର ନିର୍ବାଚନ କମିଶନ ନିଜ ଆଡ଼ୁ ତଦନ୍ତ କରନ୍ତୁ ବୋଲି ଦାବି କରିଥିଲେ ।

ଇଟିଭି ଭାରତ,ଭୁବନେଶ୍ବର/ଝାରସୁଗୁଡ଼ା

ABOUT THE AUTHOR

...view details