ଝାରସୁଗୁଡା: ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଏନେଇ ୩ ରାଜନୈତିକ ଦଳ ଜୋରଦାରରେ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନାହାନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଝାରସୁଗୁଡା ଜିଲ୍ଲା ଗସ୍ତ କରିଛି କଂଗ୍ରେସର ପ୍ରାର୍ଥୀ ଚୟନ କମିଟି । କଂଗ୍ରେସର 5 ଜଣିଆ ବିଧାୟକ ପ୍ରାର୍ଥୀ ଚୟନ କମିଟି ପହଞ୍ଚିଛନ୍ତି । ବିଧାୟକ ସନ୍ତୋଷ ସିଂ ସାଲୁଜା ଏଥିରେ ଅଧ୍ୟକ୍ଷ ରହିଥିବା ରହିଥିବା ବେଳେ ବିଧାୟକ ଅଧିରାଜ ପାଣିଗ୍ରାହୀ ସଦସ୍ୟ ଭାବେ ସାମିଲ ରହିଛନ୍ତି । ଏହି ଟିମ୍ ଆଜି ଝାରସୁଗୁଡା ଜିଲ୍ଲା କାର୍ଯାଳୟରେ ପହଞ୍ଚିବା ପରେ କିର୍ମିରା, ଲାଇକେରା ଓ କୋଲାବିରା ବ୍ଲକ ଅଞ୍ଚଲକୁ ଯାଇ କଂଗ୍ରେସ କର୍ମୀ ଓ ପଦାଧିକାରୀଙ୍କୁ ଭେଟି ମତାମତ ଲୋଡିବେ ।
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବା ପରେ ବିଜେଡ଼ି ତା ପ୍ରାର୍ଥୀ ନାଁ ଘୋଷଣ କରିଥିଲା । ଅନ୍ୟପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ପୂର୍ବରୁ ଝାରସୁଗୁଡ଼ାକୁ ଏକ ଟିମ୍ ଆସି କର୍ମୀଙ୍କ ସହ ଆଲୋଚନା କରିଥିଲା । ଯାହା ନାଁ କର୍ମୀମାନେ କହିବେ ସେହି ନାଁରେ ପିସିସି ମୋହର ମାରିବ । ସେହିପରି ଆଜି ଚୟନ କମିଟିର ମୁଖ୍ୟ ସନ୍ତୋଷ ସିଂ ସାଲୁଜା, ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ପୂର୍ବତନ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଛତ୍ରିଆ ଝାରସୁଗୁଡ଼ା ଆସି କର୍ମୀଙ୍କ ସହ ଆଲୋଚନା କରିଛନ୍ତି ।
ଝାରସୁଗୁଡା ଉପନିର୍ବାଚନ ପାଇଁ ୬ ଜଣ ପ୍ରାର୍ଥୀ ତାଲିକାରେ ରହିଥିବା ବେଳେ ଯାହାଙ୍କ ଜିତିବାର ଅଧିକ ସମ୍ଭାବନା ଥିବ ତାକୁ କଂଗ୍ରେସ ପ୍ରାର୍ଥୀ କରିବ । ଏଥିସହ ଆଜିର ରିପୋର୍ଟକୁ ପିସିସି କମିଟି ନିକଟରେ ଅବଗତ କରାଯିବା ପରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଚୟନ କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି । ସେହିପରି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଳକ ଓ ଝାରସୁଗୁଡ଼ା ପୌର ପରିଷଦର କର୍ମୀଙ୍କୁ ଭେଟି ତାଙ୍କ ସହିତ ଆଲୋଚନା କରି ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରାଯିବ ବୋଲି ସେ କହିଛନ୍ତି ।