ଝାରସୁଗୁଡ଼ା: ଜିଲ୍ଲାର ୧୧ ଗୋଟି ଡାକ୍ତରଖାନା କାୟାକଳ୍ପ ପୁରସ୍କାର ଜିତିଥିବାରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ରାଜ୍ୟସ୍ତରୀୟ ତିନି ଜଣିଆ କାୟାକଳ୍ପ ପ୍ରତିନିଧି ଦଳ ଗତ ୧୨ ତାରିଖରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ଝାରସୁଗୁଡାର ବିଭିନ୍ନ ଡାକ୍ତରଖାନା ବୁଲି ଦେଖିଥିଲେ । ପ୍ରତିନିଧି ଦଳର ଏହି ପରିଦର୍ଶନ ବେଳେ ଡାକ୍ତରଖାନାର ସୌନ୍ଦର୍ଯ୍ୟ କରଣ, ଔଷଧୀୟ ବଗିଚା, ଡାକ୍ତରଖାନା ସଫା ଓ ସୁତୁରା, ଜୈବ ବର୍ଜ୍ୟବସ୍ତୁ ପରିଚାଳନା, ରୋଗ ସଂକ୍ରମଣ ହାର, ପ୍ରସୂତି ବିଭାଗ, OPD, IPD, Operation theatre, ଡାକ୍ତରଖାନା ବାହାର ସଫା ଓ ପରିବେଶ ଅନୁକୂଳ ଇତ୍ୟାଦି ବିଭିନ୍ନ ମାନଦଣ୍ଡରେ ମୂଲ୍ୟାୟନ କରିଥିଲେ ।
ଏହି ମାନଦଣ୍ଡ ଅନୁସାରେ ଜିଲ୍ଲାର ୧୧ ଗୋଟି ଡାକ୍ତରଖାନା କାୟାକଳ୍ପ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ପୁରସ୍କାର ବାବଦକୁ ପ୍ରମାଣ ପତ୍ର ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଝାରସୁଗୁଡା ୩ଲକ୍ଷ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋଲାବିରା, ମୁଦ୍ରାଜୋର ଓ ବ୍ରଜରାଜନଗର ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାକେଲପଡା ୨ଲକ୍ଷ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପୋଖରାସାଲେ ଓ ବାଗଡ଼ିହି, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଞ୍ଚପଡା, ଝାରସୁଗୁଡା, କୁକୁରିକାନୀ ଓ ବେଲପାହାଡ ୫୦ ହଜାର ଟଙ୍କା ଲେଖାଏଁ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।