ଝାରସୁଗୁଡା: ଲକଡାଉନରେ ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛି ଚାଇଲ୍ଡ ଲାଇନ । ଜୁନ 16ରେ ହେବାକୁ ଥିବା ବାଲ୍ୟ ବିବାହକୁ ଅଟକାଇବାରେ ସଫଳ ହୋଇଛି ଚାଇଲ୍ଡ ଲାଇନ, ପୋଲିସ ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ । ଏପରି ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲାର ରାଜପୁର ପଞ୍ଚାୟତର ଗୋଟିଏ ଗାଁରେ । ବାଲ୍ୟ ବିବାହର ସୂଚନା ଚାଇଲ୍ଡ ଲାଇନକୁ ଆସିବା ମାତ୍ରେ ଜିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା ଏ ବିଷୟରେ ସିଡିପିଓ ସୁପ୍ରଭା ମହାପାତ୍ର ଏବଂ ବ୍ରଜରାଜନଗର ଥାନା ଅଧିକାରୀ ବୈକୁଣ୍ଠ ବିହାରୀ ସେଠକୁ ଅବଗତ କରିବା ସହ ବାଲ୍ୟ ବିବାହକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ ।
ଜିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା, ସିଡିପିଓ ଗ୍ରାମାଞ୍ଚଳ ସୁପ୍ରଭା ମହାପାତ୍ର, ସୁପରଭାଇଜର ବରୁଣୀ ସା, ଚାଇଲ୍ଡ ଲାଇନ ସଦସ୍ୟା ଟିକେଶ୍ବରୀ ପଟେଲ ଓ ପୋଲିସ ନାବାଳିକା ଘରକୁ ଯାଇ ନାବାଳିକାର ବାପା ମାଆଙ୍କୁ ଭେଟିଥିଲେ । ସେପଟେ ଜିଲ୍ଲା ସଂଯୋଜକ ବାଲ୍ୟ ବିବାହ ନିଷେଧ ଆଇନ ଓ ବାଲ୍ୟବିବାହର କୂପରିଣାମ ବିଷୟରେ ବୁଝାଇଥିଲେ । ନାବାଳିକାର ବାପାମାଆ ଆଇନ ବିଷୟରେ ବୁଝି ସାରିଲା ପରେ ନାବାଳିକାର ବିବାହକୁ ବନ୍ଦ କରିବା ପାଇଁ ରାଜି ହେଇଥିଲେ ଏବଂ ନାବାଳିକାର ୧୮ ବର୍ଷ ପୂରଣ ହେଲେ ବିବାହ କରିବୁ ବୋଲି ରାଜିନାମା ପତ୍ର ଦାଖଲ କରିଥିଲେ ।