ଭୁବନେଶ୍ବର/ ଝାରସୁଗୁଡା/କଟକ/ରାଉରକେଲା: ନିଜ ପାରମ୍ପରିକ ପର୍ବ ଛଠ ପୂଜାକୁ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ବିହାରୀ ସମ୍ପ୍ରଦାୟ। ସକାଳୁ ଉଠି ପରିବାର ସହ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଢାଳିଛନ୍ତି ବିହାରୀ ପରିବାର। ଅକ୍ଟୋବର 31ରୁ ଆରମ୍ଭ ହୋଇଥିବା ଏହି ପର୍ବ 3 ନଭେମ୍ବରରେ ଶେଷ ହେବ।
ନବରାତ୍ରୀ ଓ ଦୁର୍ଗାପୂଜା ଭଳି ଛଠ ପୂଜା ମଧ୍ୟ ହିନ୍ଦୁ ସଂସ୍କୃତି ଓ ପରମ୍ପରାର ଏକ ପ୍ରମୁଖ ପର୍ବ । ପୂର୍ବ ଭାରତରେ ଏହାକୁ ବେଶ୍ ଧୁମଧାମରେ ପାଳନ କରାଯାଉଥିଲେ ହେଁ ବିହାରରେ ଏହାକୁ ନେଇ ଭିନ୍ନ ଉତ୍ସାହ। ଓଡିଶାରେ ରହୁଥିବା ଅନେକ ବିହାରୀ ସମ୍ପ୍ରଦାୟ ଏହାକୁ ବେଶ୍ ଆଡମ୍ବରରେ ପାଳନ କରୁଛନ୍ତି । ଚୈତ୍ର ଶୁକ୍ଳପକ୍ଷ ଷଷ୍ଠୀ ଓ କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀରେ ଏହି ପୂଜା ପାଳନ କରାଯାଇଥାଏ।
ରାଜ୍ୟର ବିଭିନ୍ନ ସ୍ଥାନରେ ଛଠ ପୂଜାକୁ ବେଶ୍ ଆଗ୍ରହର ସହ ପାଳନ କରାଯାଉଛି । ରାଜଧାନୀ ଭୁବନେଶ୍ବରର କୁଆଖାଇ ନଦୀ ନିକଟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପାଇଁ ଗହଳି ଦେଖିବାକୁ ମିଳିଛି । ଫୁଲ, ଦୁବ, ଫଳମୂଳ ସହ ଦୀପ ଦେଇ ସୂର୍ଯ୍ୟଙ୍କୁ ପୂଜା କରି ନିଜ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରିଛନ୍ତି । ଅନ୍ୟପକ୍ଷେ ଝାରସୁଗୁଡାରେ ମଧ୍ ଇବ୍ ନଦୀ କୂଳରେ ସୂର୍ଯ୍ୟଦେବତାଙ୍କୁ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି । ଏହି ପର୍ବରେ ସୂର୍ଯ୍ୟଙ୍କୁ ଉପାସନା କଲେ ଛଠ ମାତା ପ୍ରସନ୍ନ ହୋଇଥାନ୍ତି ବୋଲି ମାନ୍ୟତା ରହିଛି।