ଝାରସୁଗୁଡା: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ବୁଧବାର ନାମାଙ୍କନ ଦାଖଲର ଶେଷ ଦିନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନିଜ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି କ୍ରମରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପ୍ରଥମେ ସମର୍ଥକଙ୍କ ସହ ଆସି ଉପ-ଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି। ଅଳକାଙ୍କ ସହିତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଶାରଦା ନାୟକ, ରୀତା ସାହୁ, ଜିଲା ପର୍ଯ୍ୟବେକ୍ଷକ ସୁବାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ବିଜେପି ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା ନିଜ ସମର୍ଥକଙ୍କ ସହ ଆସି ଉପ-ଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଥିଲେ। ତାଙ୍କ ସହ ବିଜେପିର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହାପରେ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ମଧ୍ୟ ନିଜ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ଉପ-ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କ ସହ ବହୁ ବରିଷ୍ଠ କଂଗ୍ରେସ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ ସିପିଆଇଏମ ପ୍ରାର୍ଥୀ ରମେଶ ତ୍ରିପାଠୀ ମଧ୍ୟ ନିଜ ପ୍ରାର୍ଥପତ୍ର ଦଖଲ କରିସାରିଛନ୍ତି ।