ଝାରସୁଗୁଡା :ଚାଷୀଙ୍କ ଧାନ ଉଠାଣ ସମସ୍ୟା ନେଇ ବିଜୁ ଏକ୍ସପ୍ରେସ-ଓ୍ବେ ଅବରୋଧ କଲା ବିଜେପି କୃଷକ ମୋର୍ଚ୍ଚା । ସକାଳ ୧୦ ଟାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପ୍ରାୟ ୨ ଘଣ୍ଟା ଧରି ଏହି ରାସ୍ତାରୋକ କରାଯାଇଥିଲା । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ବାନ କ୍ରମେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମୁରାରି ପାଣିଗ୍ରାହୀ ପ୍ରମୁଖଙ୍କ ନେତୃତ୍ବରେ ଏହି ରାଜପଥ ଅବରୋଧ କରିଥିଲା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ।
ମୋର୍ଚ୍ଚା ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ରବି ଋତୁରେ ଝାରସୁଗୁଡ଼ା ଜିଲ୍ଲାର ଚାଷୀମାନେ ଋଣ ନେଇ ରବି ଚାଷ କରିଛନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନ ଚାଷୀଙ୍କ ଧାନ କିଣୁ ନାହାଁନ୍ତି ।ଏହି ଋତୁରେ ଧାନ କିଣିବା ପାଇଁ ଓଡ଼ିଶା ସରକାର ମାତ୍ର ୧୨ ଦିନ ସମୟ ଦେଇଥିଲେ, ଯାହାକି ଧାନ ବିକ୍ରି କରିବା ପାଇଁ ପର୍ଯ୍ୟାପ୍ତ ସମୟ ନୁହେଁ । ତେଣୁ ଜୁଲାଇ ମାସ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରି ଚାଷୀଙ୍କ ଧାନ କିଣିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ଦାବି କରିଛି ମୋର୍ଚ୍ଚା । ସେହିପରି ୨୦୨୦ ମସିହାରେ ରବି ଋତୁରେ ଝାରସୁଗୁଡ଼ା ଜିଲ୍ଲାର ୧୩୦୦ ଚାଷୀଙ୍କ ୯୨ହଜାର କୁଇଣ୍ଟାଲ ଧାନ କିଣା ଯାଇଥିଲା। ସେହିପରି ଏହି ବର୍ଷ ମାତ୍ର ୯୧୨ ଚାଷୀଙ୍କ କେବଳ ୩୭ହଜାର ୭୦୪ କୁଇଣ୍ଟାଲ ଧାନ କିଣା ଯାଇଛି ।