ଓଡିଶା

odisha

ETV Bharat / state

Naba Das Murder: ଦୀପାଳିଙ୍କୁ ବିଜେପିର ପରାମର୍ଶ, CBI ତଦନ୍ତ ଦାବି କର ନଚେତ ହାଇକୋର୍ଟ ଯାଅ - ସିବିଆଇ ତଦନ୍ତ

ମନ୍ତ୍ରୀ ନବଦାସଙ୍କ ହତ୍ୟା ଘଟଣାକୁ ନେଇ ଅଢେଇ ମାସରୁ ଅଧିକ ହୋଇଥିବା ବେଳେ ଏଯାଏଁ ହତ୍ୟାର କାରଣ ଜଣାପଡ଼ିନାହିଁ । ନ୍ୟାୟ ପାଇଁ ରାଜ୍ୟ ସରକାରଙ୍କ ଉପରେ ଭରସା ନକରି CBI ତଦନ୍ତ ଦାବି କର ନଚେତ ହାଇକୋର୍ଟ ଯାଅ ବୋଲି ଝିଅ ଦୀପାଳିକୁ ପରାମର୍ଶ ଦେଇଛି ବିଜେପି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 18, 2023, 8:05 PM IST

Naba Das Murder: ଦୀପାଳିଙ୍କୁ ବିଜେପିର ପରାମର୍ଶ, CBI ତଦନ୍ତ ଦାବି କର ନଚେତ ହାଇକୋର୍ଟ ଯାଅ

ଝାରସୁଗୁଡ଼ା:ନବ ଦାସ ହତ୍ୟା ଘଟଣାରେ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ନ୍ୟାୟ ପାଇଁ ସରକାରଙ୍କ ଉପରେ ନିର୍ଭର କରି ସିବିଆଇ ହାତକୁ ତଦନ୍ତ ଭାର କିମ୍ବା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଆବେଦନ କରିବାକୁ ସେ କହିଛନ୍ତି । ଏହି ସମୟରେ ସେ ଆନ୍ଧ୍ରପ୍ରଦେଶ ପୂର୍ବତନ ମନ୍ତ୍ରୀ ୱାଇ.ଏସ. ବିବେକାନନ୍ଦ ରେଡ୍ଡୀଙ୍କ ଝିଅର ଉଦାହରଣ ଦେଇଛନ୍ତି । ସେ ଯେପରି ରାଜ୍ୟ ସରକାରଙ୍କ ଉପରେ ଭରସା ନ କରି ସିବିଆଇ ତଦନ୍ତ ଦାବି ପରେ ଶେଷରେ ହତ୍ୟାକାରୀ ପଛରେ ପହଞ୍ଚିଥିଲେ, ସେପରି ଦୀପାଳି କରିବାକୁ ସେ କହିଛନ୍ତି । ଏହାସହ ନବୀନ ବାବୁ ଟିକେଟ ଦେବା ବ୍ୟତୀତ ସେମାନଙ୍କ ପରିବାରକୁ ନ୍ୟାୟ କେବେ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳର ଅତ୍ୟନ୍ତ ପ୍ରିୟ ଇଣ୍ଡିଆ ଟୁଡେ ପତ୍ରିକାର ଗତ ମାସର ସଂସ୍କରଣରେ ‘ମର୍ଡର ଆଣ୍ଡ ଦି ଫାର୍ଷ୍ଟ ଫ୍ୟାମିଲି’ ଶୀର୍ଷକ ଲେଖା ପ୍ରକାଶ ପାଇଛି । ଆଶା କରୁଛୁ ସେ ନିଶ୍ଚିତ ଭାବେ ଏହି ଲେଖାଟିକୁ ପଢିଥିବେ । ବିଭିନ୍ନ ସରକାରୀ କଳ ଓ ତନ୍ତ୍ରର ଚାପକୁ ପ୍ରତିହିତ କରିବା ସହିତ ଅତ୍ୟନ୍ତ ଲୋଭନୀୟ ଅଫର୍‌କୁ ମଧ୍ୟ ପ୍ରତ୍ୟାଖାନ କରିଥିବା ଜଣେ ସୁଯୋଗ୍ୟ ଝିଅ ନିଜ ଦିବଙ୍ଗତ ବାପାଙ୍କୁ ୪ ବର୍ଷର ନିରନ୍ତର ସଂଗ୍ରାମ ପରେ ଶେଷ୍ଠ ଶ୍ରଦ୍ଧାଞ୍ଜଳୀ ଦେବାରେ କିପରି ସଫଳ ହେଉଛନ୍ତି, ଏହି ଲେଖାଟିରେ ପ୍ରକାଶ ପାଇଛି । ସେଭଳି ଝିଅ ପାଇ ଦିବଙ୍ଗତ ବାପା ସ୍ୱର୍ଗରେ ଥାଇ ମଧ୍ୟ ନିଜକୁ ଧନ୍ୟ ଓ ଗର୍ବିତ ମନେକରୁଥିବେ । ଓଡିଶାରେ ମଧ୍ୟ ଏଭଳି ଏକ ‘ମର୍ଡର ଆଣ୍ଡ ଦି ଫାର୍ଷ୍ଟ ଫ୍ୟାମିଲି’ର ଅନୁରୂପ ଘଟଣା ଘଟିଥିବାର ରାଜ୍ୟବାସୀ ଅନୁଭବ କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।

ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ମହାପାତ୍ର କହିଛନ୍ତି, "ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନ ମୋହନ ରେଡ୍ଡିଙ୍କ କାକା ୱାଇ.ଏସ. ବିବେକାନନ୍ଦ ରେଡ୍ଡିଙ୍କ କଡପାସ୍ଥିତ ତାଙ୍କ ବାସଭବନରେ ଅତ୍ୟନ୍ତ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା ଏବଂ ଏହାକୁ ହୃଦଘାତ ଓ ରକ୍ତବାନ୍ତିର ଆଖ୍ୟା ଦିଆଯାଇଥିଲା । ଏପରିକି ସେହି ସମୟରେ ମୃତ୍ୟୁ ପାଇଁ କେ.ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ଦଳ ଦାୟୀ ବୋଲି ଅଭିଯୋଗ ଅଣାଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ୩-୩ଟି ଏସଆଇଟି ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲେ ମଧ୍ୟ କୈାଣସି ସତ୍ୟାସତ୍ୟ ସାମ୍ନାକୁ ଆସିନଥିଲା । ସେହି ସମୟରେ ସ୍ୱର୍ଗତଃ ବିବେକାନନ୍ଦଙ୍କ ଝିଅ ସୁନୀତାଙ୍କୁ କଡପା ଲୋକସଭା କିମ୍ବା ବିଧାନସଭା ପାଇଁ ଦଳୀୟ ଟିକେଟ ଦେବା ପ୍ରତିଶୃତି ଦିଆଯାଇଥିଲା । ଏ ସମସ୍ତକୁ ପ୍ରତ୍ୟାଖାନ କରି ସୁନୀତା ନିଜ ଦିବଙ୍ଗତ ବାପାଙ୍କ ମୃତ୍ୟୁର ସତ୍ୟାସତ୍ୟ ଜାଣିବା ଉଦ୍ଦେଶ୍ୟରେ ହାଇକାର୍ଟଙ୍କୁ ସିବିଆଇ ଦ୍ୱାରା ତଦନ୍ତ ପାଇଁ ଅପିଲ୍ କରିଥିଲେ । ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ।"

ଏହା ବି ପଢନ୍ତୁ- Jharsuguda Bypoll: ନାମାଙ୍କନ ପତ୍ର ଦାଖଲ କଲେ ଦୀପାଳି

ଘଟଣାର ତଦନ୍ତ ସିବିଆଇ ଦ୍ୱାରା ହେବା ପରେ ଏବଂ ୨୩୪ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ସହ ଘଟଣାରେ ତାଙ୍କ ନିଜ କାକା ଭାସ୍କର ରେଡ୍ଡୀ ଓ ଅନ୍ୟମାନଙ୍କ ସଂପୃକ୍ତି ପଦାରେ ପଡିଲା ଏବଂ ଗତ କାଲି ଭାସ୍କର ରେଡ୍ଡୀଙ୍କୁ ଗିରଫ କରାଯାଇଛି । ନିଜ ପୁଅ ତଥା ବର୍ତ୍ତମାନର ସାଂସଦ ଥିବା ଅଭିନାଶଙ୍କୁ ଦଳୀୟ ଟିକେଟ ଦେବା ପାଇଁ ଭାସ୍କର ଏଭଳି ଅମାନୁଷିକ ହତ୍ୟାକାଣ୍ଡ କରିଥିଲେ ସିବିଆଇ ତଦନ୍ତରେ ଧରା ପଡିଛି । ଏହା ହିଁ ଦର୍ଶାଉଛି ସିବିଆଇର ସଫଳତା । ଦୀର୍ଘ ୪ବର୍ଷ ପରେ ସୁନୀତା ନିଜ ଦିବଙ୍ଗତ ବାପାଙ୍କ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛନ୍ତି ଏବଂ ଏହା ନିଶ୍ଚିତ ଭାବେ ଗୋଟିଏ ଝିଅର ନିଜ ଦିବଙ୍ଗତ ବାପାଙ୍କ ପାଇଁ ଶେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମନୋଜ କହିଛନ୍ତି ।

ଓଡିଶାର ଜଣେ ପ୍ରଭାବଶାଳୀ ବିଜେଡି ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା କଲେ । ରାଜ୍ୟ ସରକାର ମଧ୍ୟ କ୍ରାଇମବ୍ରାଞ୍ଚ ଦ୍ୱାରା ଘଟଣାର ତଦନ୍ତ କରାଇଲେ । ୮୦ ଦିନ ପରେ ମଧ୍ୟ ହତ୍ୟାକାଣ୍ଡର ମୁଖ୍ୟ କାରଣ ସଂପର୍କରେ ଜଣାପଡିଲା ନାହିଁ । ଆମେରିକା ସଂସ୍ଥା ନାଁରେ ଏଫବିଆଇ ତଦନ୍ତର ଭେଳିକି ୫୦ ଦିନ ପୂରିଲା, ଆପଣ ଏଥିରେ ସନ୍ତୁଷ୍ଟ କି ? ନିର୍ବାଚନ ଆୟୋଗ ନିଜ ସାମ୍ବିଧାନିକ ଦାୟିତ୍ୱନୁଯାୟୀ ଖାଲି ପଡିଥିବା ଝାରସୁଗୁଡା ଉପନିର୍ବାଚନ କରାଉଛନ୍ତି । ଅପର ପକ୍ଷରେ ଦିବଙ୍ଗତ ନବ ଦାସଙ୍କ ଅବର୍ତ୍ତମାନରେ ତାଙ୍କ ପରିବାରର ମୁରବୀ ସାଜିଥିବା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାର ସ୍ୱର୍ଗତ ନବ ଦାସ ଓ ତାଙ୍କ ପରିବାରକୁ କେବେ ନ୍ୟାୟ ଦେବେ ବୋଲି ମନୋଜ ପ୍ରଶ୍ନ କରିଛନ୍ତି ।


କେବଳ ଅନୁକମ୍ପା ଓ ସହାନୁଭୂତି ପ୍ରଦାନ କରି ଦଳୀୟ ସଭାପତି ଭାବେ କେବଳ ଟିକେଟ ଦେବା ଛଡା ଅନ୍ୟ କଣ କରିଛନ୍ତି ନବୀନ ବାବୁ ? ଅନ୍ୟପଟେ ନବବାବୁଙ୍କ ଝିଅକୁ ବିଜେଡି ଟିକେଟ ମିଳିବା ପରେ ନ୍ୟାୟ ପାଇଁ ଲଢେଇ କରିବେ ନା ନୀରବ ହୋଇ ରହିବେ, ତାହା ସାଧାରଣ ଲୋକେ ପଚାରୁଛନ୍ତି । ସୁନୀତା ରେଡ୍ଡୀଙ୍କୁ ରୋଲ ମଡେଲ କରି ନବବାବୁଙ୍କ ପରିବାର ସଦସ୍ୟ ଏବଂ ବର୍ତ୍ତମାନର ମୁରବୀ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବା ପାଇଁ ପତ୍ର ଲେଖନ୍ତୁ । ଯଦି ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ପତ୍ର ଲେଖୁ ନାହାନ୍ତି, ତାହେଲେ ନବ ବାବୁଙ୍କ ଦାୟଦମାନେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟର ଆଶ୍ରୟ ନିଅନ୍ତୁ ବୋଲି ଅପିଲ କରିଛନ୍ତି ମନୋଜ । ସେ ଆହୁରି କହିଛନ୍ତି ଯେ ଅସଲ ଷଡଯନ୍ତ୍ରର ଖୁଲାସା ହେଲେ ପ୍ରକୃତ ଦୋଷୀ ସାମ୍ନାକୁ ଆସିବେ ଏବଂ ତାହା ହିଁ ଦିବଙ୍ଗତ ନବ ଦାସଙ୍କ ପ୍ରତି ଶେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।



ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details