ଝାରସୁଗୁଡା:ଝାରସୁଗୁଡାରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ଉଦଘାଟିତ । ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଦ୍ୱାରା ଏହି ଭାରତ ସଂକଳ୍ପ ଯାତ୍ରା ଉଦଘାଟିତ ହୋଇଯାଇଛି । ତେବେ ଜିଲ୍ଲାର ନବ ଦାସ ଅଡିଟୋରିୟମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ ସାଂସଦ ପୂଜାରୀ ଯୋଗଦେଇ ଭାରତକୁ ଏକ ବିକଶିତ, ଆତ୍ମନିର୍ଭରଶୀଳ ଓ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ଜାତି, ଧର୍ମ, ବର୍ଣ୍ଣ ଓ ଦଳ ନିର୍ବିଶେଷରେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଏଥିସହ ଅର୍ଥନୈତିକ ଦୃଷ୍ଟିକୋଣରୁ ବିଶ୍ୱର ପଞ୍ଚମ ବୃହତ ଶକ୍ତି ଭାବରେ ପରିଗଣିତ ଭାରତକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ସମସ୍ତଙ୍କର ସହଯୋଗ କାମନା ପୂର୍ବକ ଆହ୍ୱାନ ଦେଇଛନ୍ତି ।
ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି । ଏହାକୁ ଆହୁରି ଆଗକୁ ନେବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ସାଂସଦ ମହିଳା ଓ ଯୁବ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ପୂର୍ବକ ସାଂସଦ ଜନସାଧାରଣ ଯୋଜନା ବାବଦରେ ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି । ଗଣତନ୍ତ୍ରର ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ଲୋକ ପାଖରେ ଯୋଜନାର ସୁଫଳ ପହଞ୍ଚାଇବା ସକାଶେ ସଚେତନତା ସୃଷ୍ଟି ପାଇଁ ସାଂସଦ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅନ୍ୟପଟେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ସ୍ବାସ୍ଥ୍ୟବୀମା ଯୋଜନା ଆଦି ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ଜନମଙ୍ଗଳ ରାଷ୍ଟ୍ରରେ ହିତାଧିକାରୀମାନେ ଯୋଜନା ବିଷୟରେ ଅବଗତ ହେବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।