ଓଡିଶା

odisha

ETV Bharat / state

ଅବହେଳିତ ବାବାଡେରା ଗୁମ୍ଫା: ଧ୍ୟାନ ଦେଉନି ପ୍ରଶାସନ, ପରିଚୟ ହରାଉଛି ପର୍ଯ୍ୟଟନସ୍ଥଳୀ - ବାବାଡେରା ଗୁମ୍ଫାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଝାରସୁଗୁଡ଼ା ଜିଲ୍ଲା । ଏଠାକାର ପ୍ରତିଟି ପର୍ଯ୍ୟଟନସ୍ଥଳୀ କୁହେ କିଛି ନୂଆ କାହାଣୀ । ସେଥିମଧ୍ୟରୁ ଅନ୍ୟତମ ହେଉଛି ଭାଇବେହେନ ପାହାଡ଼ । ଅଧିକ ପଢ଼ନ୍ତୁ

ଅବହେଳିତ ଡେରାବାବା ଗୁମ୍ଫା, ଧ୍ୟାନ ଦେଉନି ପ୍ରଶାସନ, ପରିଚୟ ହରାଉଛି ପର୍ଯ୍ୟଟନସ୍ଥଳୀ
ଅବହେଳିତ ଡେରାବାବା ଗୁମ୍ଫା, ଧ୍ୟାନ ଦେଉନି ପ୍ରଶାସନ, ପରିଚୟ ହରାଉଛି ପର୍ଯ୍ୟଟନସ୍ଥଳୀ

By

Published : Dec 9, 2021, 8:20 PM IST

ଝାରସୁଗୁଡ଼ା:ଆଖି ବୁଲାଇ ଦେଲେ ସବୁଜ ଜଙ୍ଗଲରେ ଭରପୁର ପାହାଡ଼ । ପାହାଡ଼ ମଝିରେ ରହିଛି ବାବାଡେରା ଗୁମ୍ଫା । ଏଠାକାର ସୁନ୍ଦର ସବୁଜ ଚିତ୍ର ପ୍ରକୃତି ପ୍ରେମୀଙ୍କୁ ନିଜ ପାଖକୁ ଟାଣିଆଣେ । ଆମେ କହୁଛୁ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଭାଇବେହେନ ପାହାଡ଼ କଥା । ପାକେଲପଡ଼ା ଗ୍ରାମରେ ଥିବା ଏହି ପାହାଡ଼ରେ ରହିଛି ବାବାଡେରା ଗୁମ୍ଫା । ରକ୍ଷଣବେକ୍ଷଣ ଅଭାବରୁ ଏହି ଗୁମ୍ଫା ନିଜ ପରିଚୟ ହରାଇବାକୁ ବସିଛି ।

ଅବହେଳିତ ବାବାଡେରା ଗୁମ୍ଫା, ଧ୍ୟାନ ଦେଉନି ପ୍ରଶାସନ, ପରିଚୟ ହରାଉଛି ପର୍ଯ୍ୟଟନସ୍ଥଳୀ

ଝାରସୁଗୁଡ଼ା ମୁଖ୍ୟାଳୟରୁ ୫୫ କିଲୋମିଟର ଅତିକ୍ରମ କଲାପରେ ପଡ଼ିଥାଏ ପାକେଲପଡ଼ା ଗ୍ରାମ । ଗ୍ରାମର ପୂର୍ବ ଦିଗକୁ କିଛି ଦୂର ଗଲେ ବାଟରେ ପଡ଼ିବ ଦୁଇଟି ପାହାଡ଼। ‌ ‌ବାମପଟେ ରହିଛି ଭାଇବେହେନ ପାହାଡ଼ ଏବଂ ଡାହାଣକୁ ରହିଛି ବୁଢ଼ୀକୁଟେନ ପାହାଡ଼ । ବିସ୍ତୀର୍ଣ୍ଣ ଜଙ୍ଗଲ ମଧ୍ୟରେ ଥିବା ଏହି ଦୁଇ ପାହାଡ଼କୁ ନେଇ ଅନେକ ଲୋକକଥା ରହିଛି । ଭାଇବେହେନ ପାହାଡ଼ ଉପରେ ରହିଛି ଏକ ଗୁମ୍ଫା । ବହୁ ବର୍ଷଧରି ଏହି ଗୁମ୍ଫାରେ ଜଣେ ସାଧୁ ସାଧନା କରୁଥିବାରୁ ଏହା ବାବାଡେରା ଗୁମ୍ଫା ନାମରେ ସୁପରିଚିତ ।

ପ୍ରତିଟି ସନ୍ଧ୍ୟାରେ ସାଧୁ ଜଣକ ଖଞ୍ଜଣୀ ବଜାଇ ଭଜନ ସଂକୀର୍ତ୍ତନ କରୁଥିଲେ । ଖଞ୍ଜଣୀ ଭଜନ ଶବ୍ଦ ପୁରା ଗାଁ ଯାଏଁ ଶୁଣାଯାଉଥାଏ । ସକାଳେ ସାଧୁଜଣକ ଭିକ୍ଷା କରି ପୁଣି ସନ୍ଧ୍ୟାବେଳେ ଗୁମ୍ଫାକୁ ଫେରିଯାଉଥିଲେ । ଗୁମ୍ଫାତଳେ ସାଧୁ ଅନେକ ସମୟରେ ଆଧ୍ୟାତ୍ମିକ ସମାରୋହ ମଧ୍ୟ ଆୟୋଜନ କରୁଥିଲେ । ଯେଉଁଥିରେ ଗ୍ରାମବାସୀଙ୍କ ସହ ବହୁ ସାଧୁସନ୍ଥ ଯୋଗ ଦେଉଥିଲେ । ଦିନେ ଭାଲୁ ଆକ୍ରମଣରେ ସାଧୁ ଜଣଙ୍କ ମୃତ୍ୟୁ ହୋଇଯାଏ । ଏହାପରେ ଏହି ପାହାଡ଼ ଉପରକୁ ଗ୍ରାମାବାସୀଙ୍କ ଯିବାଆସିବା କମିବାରେ ଲାଗିଛି । ଫଳରେ ଏହି ସ୍ଥାନ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଧ୍ବସ୍ତ ହେବାକୁ ବସିଛି ।

ପାହାଡ଼ ଉପରେ ଏକ ଗମ୍ବୁଜ ଆକାରର ବିରାଟ ପଥର ରହିଛି । ‘ପିତାବହଲିଆ’ ନାମକ ଏହି ପଥରକୁ ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ନେଇ ସ୍ଥାନୀୟ ଲୋକ ବିଶ୍ବାସ କରନ୍ତି । ଏବେବି ସ୍ଥାନୀୟ ବାସିନ୍ଦା ଏହି ପଥରକୁ ପୂଜା କରି ଆସୁଛନ୍ତି । ଏବେ କେବଳ ଜନ୍ମାଷ୍ଟମୀ ସମୟରେ ବାବାଡେରା ଗୁମ୍ଫାକୁ ସ୍ଥାନୀୟ ଲୋକେ ବୁଲିବାକୁ ଆସୁଥିଲେ । ପରେ ସନ୍ଧ୍ୟାବେଳେ ନିଜ ଘରେ ପୂଜାର୍ଚ୍ଚନା କରୁଥିଲେ । କିନ୍ତୁ ବାବାଙ୍କ ଦେହାନ୍ତ ପରେ ଏଠାକୁ ଆଉ କୌଣସି ଲୋକ ଆସୁନାହାନ୍ତି । ଏହାର ରକ୍ଷଣାବେକ୍ଷଣ କରାଗଲେ ଏହା ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇପାରନ୍ତା ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ଏହି ପାହାଡ଼ରେ ଦୁଇ ଭାଇଭଉଣୀ ପଥର ପାଲଟି ଯାଇଥିବା ଲୋକକଥା ରହିଛି । ତେବେ ଏହାକୁ ନେଇ କୌଣସି ଐତିହାସିକ ପ୍ରମାଣ ନାହିଁ । ସରକାରୀ ସ୍ତରରେ ଏହାକୁ ବର୍ତ୍ତମାନ ସୁଦ୍ଧା ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିପାରିନାହିଁ । ଏହାକୁ ନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି । ସେପେଟ ଏଦିଗରେ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିବା କଥା କହିଛନ୍ତି ସାଂସ୍କୃତିକ ଅଧିକାରୀ ।

ଯଦି ପ୍ରଶାସନ ପକ୍ଷରୁ ଏହି ଗୁମ୍ଫାର ରକ୍ଷଣାବେକ୍ଷଣ କରାଯାଏ ତେବେ ଆଗାମୀ ଦିନରେ ଏହାର ପ୍ରଚାର ପ୍ରସାର ହେବାସହ ଏହାଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରିବ । କେବେ ପ୍ରଶାସନ ଏଦିଗରେ କାର୍ଯ୍ୟ କରୁଛି ତାହାରି ଅପେକ୍ଷାରେ ସ୍ଥାନୀୟ ବାସିନ୍ଦା ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details