ଓଡିଶା

odisha

ETV Bharat / state

ଝାରସୁଗୁଡ଼ାରେ ଅର୍ପଣ ରଥ, ଶେଷ ପର୍ଯ୍ୟାୟରେ ଚାଉଳ ଓ ଗୁଆ ସଂଗ୍ରହ

Arpana Ratha in Jharsuguda: ଝାରସୁଗୁଡ଼ାରେ ପ୍ରାୟ ସମସ୍ତ ପଞ୍ଚାୟତ ତଥା ଗ୍ରାମରୁ ଚାଉଳ ଏବଂ ଗୁଆ ସଂଗ୍ରହ ସରିଛି । ଶ୍ରଦ୍ଧା ଓ ଭକ୍ତିର ସହ ଜନସାଧାରଣ ଗୁଆ ଓ ଚାଉଳ ଅର୍ପଣ କରିଛନ୍ତି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Jan 14, 2024, 11:18 AM IST

ଝାରସୁଗୁଡ଼ାରେ ଅର୍ପଣ ରଥ
ଝାରସୁଗୁଡ଼ାରେ ଅର୍ପଣ ରଥ

ଝାରସୁଗୁଡ଼ା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ଅର୍ପଣ ରଥ ପରିକ୍ରମା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂକୀର୍ତ୍ତନ ସାଙ୍ଗକୁ ହରିବୋଲ ହୁଳହୁଳିରେ ପରିବେଶ ଆଧ୍ୟାତ୍ମିକ ହୋଇଉଠୁଛି । ତେବେ ଆସନ୍ତା 17 ତାରିଖରେ ଲୋକାର୍ପିତ ହେବାକୁ ଥିବା ପରିକ୍ରମା ପ୍ରକଳ୍ପରେ ହୁଏତ ସମସ୍ତେ ଯୋଗ ଦେଇପାରିବେ ନାହିଁ । କିନ୍ତୁ ଅର୍ପଣ ରଥ ମାଧ୍ୟମରେ ଅକ୍ଷତ ଅରୁଆ ଚାଉଳ ଓ ଗୁଆ ଜଗତର ନାଥ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପଠାଇ ପାରିବେ । ତେବେ ଅନେକ ଅଞ୍ଚଳରେ ରଥ ପରିକ୍ରମା ଶେଷ ହୋଇଥିବା ବେଳେ ଆଉ କିଛି ଅଞ୍ଚଳରେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିଭଳି ଝାରସୁଗୁଡ଼ାରେ ପ୍ରାୟ ସମସ୍ତ ପଞ୍ଚାୟତ ତଥା ଗ୍ରାମରୁ ଚାଉଳ ଏବଂ ଗୁଆ ସଂଗ୍ରହ ସରିଛି ।

ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ 6 ଜାନୁଆରୀ ସାରା ଓଡ଼ିଶାରେ ଅର୍ପଣ ରଥ ପରିକ୍ରମା ଆରମ୍ଭ କରିଥିଲା । ପ୍ରତି ବ୍ଲକରୁ ଶୁଭାରମ୍ଭ ହୋଇଥିବା ଏହି ଅର୍ପଣ ରଥ ପ୍ରତି ପଞ୍ଚାୟତରେ ଥିବା ଗାଁ ଗାଁ ବୁଲି ଲୋକଙ୍କ ଠାରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରୁଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନିଜେ ସେବାୟତଙ୍କୁ ଗୁଆ ଓ ଅରୁଆ ଚାଉଳ ଦେଇଥିଲେ । ସାରା ରାଜ୍ୟବାସୀଙ୍କୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଅରୁଆ ଚାଉଳ ଦାନ ପାଇଁ ଆହ୍ଵାନ ଦେଇଥିଲେ । ଏଣୁ ପ୍ରତି ବ୍ଲକରୁ ଅର୍ପଣ ରଥର ଶୁଭାରମ୍ଭ ହୋଇଛି । ପୁରୀ ସଦର ବ୍ଲକରୁ ପ୍ରଥମେ ଅର୍ପଣ ରଥ ଶୁଭାରମ୍ଭ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଭୁବନରେ ବୁଲିଲା ଜଗନ୍ନାଥଙ୍କ ଅର୍ପଣ ରଥ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ସମଗ୍ର ଅଞ୍ଚଳ

ଜିଲ୍ଲାର ୭୮ ପଞ୍ଚାୟତରୁ ୭୬ ପଞ୍ଚାୟତର ୩୪୦ ଗ୍ରାମ ଓ ୩ଟି ପୌର ପରିଷଦର ୬୬ଟି ୱାର୍ଡ଼ରୁ ୬୫ଟି ୱାର୍ଡ଼ରେ ରଥ ପରିକ୍ରମା ସରିଛି । କିର୍ମିରା ବ୍ଲକ ଅନ୍ତର୍ଗତ ୮ଟି ପଞ୍ଚାୟତର ୪୧ଟି ଗ୍ରାମ, କୋଲାବିରାର ୯ଟି ପଞ୍ଚାୟତର ୪୬ଟି ଗ୍ରାମ, ଝାରସୁଗୁଡ଼ାର ୧୭ଟି ପଞ୍ଚାୟତର ୭୨ଟି ଗ୍ରାମ, ଲଖନପୁରର ୩୩ଟି ପଞ୍ଚାୟତର ୧୪୬ଟି ଗ୍ରାମ ଓ ଲଇକେରା ବ୍ଲକର ୧୧ଟି ପଞ୍ଚାୟତରୁ ୯ଟି ପଞ୍ଚାୟତର ୩୫ଟି ଗ୍ରାମରେ ଅର୍ପଣ ରଥ ପରିକ୍ରମା ସରିଛି ।

ସେହିପରି ବେଲପାହାଡ଼ ପୌର ପରିଷଦର ୧୯ଟି ୱାର୍ଡ଼ ଓ ବ୍ରଜରାଜନଗର ପୌର ପରିଷଦର ୨୩ଟି ୱାର୍ଡ଼ରେ ଅର୍ପଣ ରଥ ପରିକ୍ରମା ସରିଥିବା ବେଳେ ଝାରସୁଗୁଡ଼ା ପୌର ପରିଷଦର ୨୪ଟି ୱାର୍ଡରୁ ୨୩ଟି ୱାର୍ଡ଼ରେ ଅର୍ପଣ ରଥ ପରିକ୍ରମା ସରିଛି । ଶ୍ରଦ୍ଧାଳୁ ଭକ୍ତମାନେ ଜୟ ଜଗନ୍ନାଥ ନାରା ଦେଇ ନିଜ ନିଜ ଅଞ୍ଚଳରେ ଅର୍ପଣ ରଥ ପରିକ୍ରମା କରାଇଛନ୍ତି । ସେହିପରି ଶ୍ରଦ୍ଧା ଓ ଭକ୍ତିର ସହ ଜନସାଧାରଣ ଗୁଆ ଓ ଚାଉଳ ଅର୍ପଣ କରିଛନ୍ତି । ମହିଳାମାନଙ୍କ ଦ୍ୱାରା ଝୋଟି ଓ ମୁରୁଜରେ ସବୁ ଅଞ୍ଚଳରେ ଅର୍ପଣ ରଥକୁ ସ୍ୱାଗତ କରାଯାଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details