ଝାରସୁଗୁଡ଼ା: ସମର୍ଥ ଅଗ୍ରୱାଲ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କଲା ଝାରସୁଗୁଡ଼ା ପୋଲିସ । ଟଙ୍କା ପାଇଁ ଅପହରଣ କରିଥିଲା ଅଭିଯୁକ୍ତ । ଋଣ ଭାର ସୁଝିବା ପାଇଁ ଅପହରଣ ଯୋଜନା କରା ଯାଇଥିଲା । ଟଙ୍କା ଆଦାୟ କରି ଋଣ ସୁଝିଥାନ୍ତା ଅଭିଯୁକ୍ତ । ଧରା ପଡିଯିବା ଡରରେ ସମର୍ଥକୁ ହତ୍ୟା କରିଥିଲା ବୋଲି ଝାରସୁଗୁଡ଼ା ଏସପି ସୂଚନା ଦେଇଛନ୍ତି । ହତ୍ୟା ଘଟଣାରେ ପୂର୍ବରୁ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲକୁ ଗିରଫ କରିଥିଲା ପୋଲିସ । ଏହି ଘଟଣାରେ ଆଉ ଜଣେ ସମ୍ପୃକ୍ତି ଥିବା ଜାଣିବା ପରେ ଗଣେଶ ନାଏକକୁ ପୋଲିସ ଗିରଫ କରିଛି । ସମର୍ଥ ଅଗ୍ରୱାଲଙ୍କୁ ଅପହରଣରେ ଗଣେଶ ସହଯୋଗ କରିଥିବା ଜଣାପଡ଼ିଛି ।
ସମର୍ଥ ଅଗ୍ରୱାଲ ହତ୍ୟାକାଣ୍ଡ ଘଟଣାରେ ଝାରସୁଗୁଡ଼ା ପୋଲିସ ଅଭିଯୁକ୍ତ ଅମିତ ଶର୍ମା ଓ ଦିନେଶ ଅଗ୍ରୱାଲକୁ ତିନିଦିନିଆ ରିମାଣ୍ଡରେ ନେଇଥିଲା । ରିମାଣ୍ଡର ଶେଷ ଦିନରେ ଦୁଇ ଅଭିଯୁକ୍ତକୁ SDJM କୋର୍ଟରେ ହାଜର କରିବାର ଥିଲା । ଏହାର କିଛି ସମୟ ପୂର୍ବରୁ ଅଭିଯୁକ୍ତ ଅମିତ ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଥିଲା । ରିଜର୍ଭ ବାଟାଲିୟନ ବାଥରୁମ ସାମ୍ନାରେ ଥିବା ଦର୍ପଣ କାଚ ଭାଙ୍ଗି ହାତ କାଟିଥିଲା ଅଭିଯୁକ୍ତ । ବେକ କାଟିବାକୁ ଉଦ୍ୟମ କରୁଥିବା ବେଳେ କାବୁ କରିଥିଲା ପୋଲିସ । ଏହାପରେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅଭିଯୁକ୍ତ ଅମିତ ଶର୍ମା କାଚରେ ନିଜ ହାତ ଓ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା ବୋଲି ଏସପି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, " ଅଭିଯୁକ୍ତ ଅମିତ ଶର୍ମାର ଶରୀରର କେତେକ ସ୍ଥାନରେ ଆଘାତ ହୋଇଛି । ଡାକ୍ତରଖାନାରେ ତାର ଚିକିତ୍ସା କରାଗଲା ପରେ ସେମାନଙ୍କୁ SDJM କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଝାରସୁଗୁଡ଼ା ଉପକାରାଗାରକୁ ନିଆଯାଇଛି ।"