ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଘଟିଛି ପୁଣି ଏକ ଚାଞ୍ଚଲ୍ୟକର ଘଟଣା । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ ପରେ ପୁଣି ଚର୍ଚ୍ଚାକୁ ଫେରିଛି ଝାରସୁଗୁଡ଼ା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ । ପୂର୍ବରୁ ଅନେକ ଥର ଚିକିତ୍ସାରେ ଅବହେଳା, ଶିଶୁ ମଡ଼କ, ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ହେଲେ ଏଥର ପୁଣି ଏଭଳି ଏକ ଅବହେଳାର ନଗ୍ନ ରୂପ ଦେଖିବାକୁ ମିଳିଛି । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ନେଇ ଅଭିଯୋଗ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଛି ଶିଶୁ ଅଦଳବଦଳ ଅଭିଯୋଗ । ପୁଅରୁ ଝିଅ କେମିତି ହୋଇଗଲା ନବଜାତ ଶିଶୁ ? ଏନେଇ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ଅଭିଯୋଗ ହୋଇଛି ।
ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଛି ଶିଶୁ ବଦଳି ଅଭିଯୋଗ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମିତ ଶିଶୁ ବଦଳି ଅଭିଯୋଗ କରିଛନ୍ତି ଖୋଦ ଶିଶୁର ପିତା । ଏନେଇ ସେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ବ୍ରଜରାଜନଗର ରାମପୁରର ରାଜା କୁମାର ଗିରି ତାଙ୍କ ପତ୍ନୀ ଦୀପାଞ୍ଜଳି ଦେବୀଙ୍କୁ ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ପୁଅକୁ ରାଜା କୁମାର ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ନର୍ସ ତାଙ୍କୁ ଷ୍ଟେଚର, ନାଇଟି ଆଦି ଆଣିବା ପାଇଁ କହିଥିଲେ । ରାଜା କୁମାର ଏସବୁ ସାମଗ୍ରୀ ଆଣିଲା ବେଳକୁ ତାଙ୍କ ଶିଶୁ ପୁତ୍ରକୁ ଏକ ଶିଶୁ କନ୍ୟା ସହ ବଦଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ତାଙ୍କ ଶିଶୁପୁତ୍ର ତାଙ୍କୁ ଫେରାଇ ଦିଆଯାଉ ବୋଲି ଦାବି କରିଛନ୍ତି ରାଜା କୁମାର ଗିରି ।