ଝାରସୁଗୁଡା: ସମ୍ମିଳିତ ଆଦିବାସୀ ସମାଜ ଓ ଅଖିଳ ଭାରତୀୟ ଗୋଣ୍ଡୱନା ଗୋଣ୍ଡ ମହାସଭା, ୧୯୯୬ ମସିହାରୁ ଦେଶରେ ଲାଗୁ ହୋଇଥିବା ପେଶା ଆଇନକୁ ରାଜ୍ୟରେ ଲାଗୁ କରିବା ପାଇଁ ଦାବି କରିଛନ୍ତି । ଆଦିବାସୀ ମାନେ ମୁଖ୍ୟତଃ ଶିକ୍ଷା, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ଆଗେଇ ଦେଶ ବିକାଶର ମୁଖ୍ୟ ଧାରାରେ ସମକକ୍ଷ ହେବାକୁ ଚାହାଁନ୍ତି ବୋଲି ଅଖିଳ ଭାରତୀୟ ଗୋଣ୍ଡୱନା ଗୋଣ୍ଡ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ ଏକ ପ୍ରେସ ଇସ୍ତାହାରରେ କହିଛନ୍ତି ।
ସମ୍ବିଧାନର ଅନୁଚ୍ଛେଦ ୨୪୪ ଅନୁସାରେ ପେଶା ଏକ ଭାଗ ଅଟେ, ଯାହା ପଞ୍ଚମ ଅନୁସୂଚୀ ଅନୁସାରେ ୫୦ ପ୍ରତିଶତରୁ ଅଧିକ ଆଦିବାସୀ ବସବାସ କରୁଥିବା ଓ ଆଦିବାସୀ କ୍ଷେତ୍ର ବ୍ୟତୀତ ବାକି କ୍ଷେତ୍ରରେ ଏସଟି,ଏସସି, ଓବିଶି ସଦସ୍ୟଙ୍କ ଅନୁପାତ ଅନୁଯାଇ ନିଯୁକ୍ତି ହେବା କଥା । କିନ୍ତୁ ଓଡ଼ିଶାରେ ଅଣ ଆଦିବାସୀ କ୍ଷେତ୍ରର ୨୩ଟି ଜିଲ୍ଲା, ୧୯୫ଟି ବ୍ଲକ ଓ ୬ହଜାରରୁ ଉର୍ଦ୍ଧ ପଞ୍ଚାୟତର ଯଥାକ୍ରମେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ସରପଞ୍ଚ ପଦ ଗୁଡିକରେ ସଂରକ୍ଷଣକୁ ସଂପୂର୍ଣ୍ଣ ରଦ୍ଧ କରାଯାଇଛି ।
ଏହିପରି ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି, ଅନୁସୁଚିତ ଜାତି ବର୍ଗର ପିଲା ମାନଙ୍କୁ ରାଜ୍ୟର ଜନସଂଖ୍ୟା ଅନୁପାତରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢିବାକୁ ଯଥାକ୍ରମେ ୨୩ ପ୍ରତିଶତ ଓ ୧୭ ପ୍ରତିଶତ ମିଳିବା କଥା କିନ୍ତୁ ପ୍ରଚଳିତ ସରକାରଙ୍କ ବେନିୟମ ସର୍କୁଲାର ଅନୁସାରେ ୧୨ ପ୍ରତିଶତ ଓ ୮ ପ୍ରତିଶତ ସଂରକ୍ଷଣ ରଖାଯାଇଛି ।