ଝାରସୁଗୁଡ଼ା: ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ବୁଧବାର ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ନେଇ ଧାରଣା ଦିଆଯାଇଥିଲା । ଏହାସହିତ ଏକ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଭୁବନେଶ୍ବରରେ ନିଜର ଦାବି ଉପସ୍ଥାପନ କରିଥିଲା ।
ପଶ୍ଚିମ ଓଡ଼ିଶାରେ ରହିଥିବା ସମସ୍ତ ଜିଲ୍ଲାର ଜନସାଧାରଣଙ୍କ ହିତ ପାଇଁ ଏହି ଆନ୍ଦୋଳନ କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି । ହାଇକୋର୍ଟରେ ଅସଂଖ୍ୟ ମାମଲାର ଶୁଣାଣି ବିଚାରଧୀନ ରହିଛି । ଯାହାଫଳରେ ଲୋକମାନେ ନିଜର ହକ ଏବଂ ନ୍ୟାୟ ପାଇବାରୁ ବଞ୍ଚିତ ରହୁଛନ୍ତି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଯଥାଶୀଘ୍ର ଦୃଷ୍ଟି ଦେଇ ପଶ୍ଚିମ ଓଡ଼ିଶାରେ ଏକ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାକୁ ଅନୁରୋଧ କରି ନିଜର ଦାବି ଜଣାଇଛନ୍ତି।
ଏହି ଧାରଣାରେ ଜିଲ୍ଲା ବାର ଆସୋସିଏସନର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହିଥିଲେ । ''ପଶ୍ଚିମ ଓଡିଶାର ହକ ଆମକୁ ଦରକାର । ଯଦି ସରକାର ନଦିଅନ୍ତି ତେବେ ତାକୁ ଛଡେଇ ଆଣିବାର ଶକ୍ତି ରହିଛି ଆଇନଜୀବୀଙ୍କ ପାଖରେ’’ ବୋଲି ବାର ଆସୋସିଏସନର ସଦସ୍ୟା କହିଥିଲେ । ଏନେଇ ବୁଧବାର ଝାରସୁଗୁଡ଼ାରେ ଓକିଲ ସଂଘ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ଘୋଷଣା କରିଛି। ଫଳରେ ପିକେଟିଂ କରି କାର୍ଯ୍ୟାଳୟ ବନ୍ଦ କରୁଛନ୍ତି ।