ଭୁବନେଶ୍ବର:ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ । ବର୍ତ୍ତମାନର ଜିଲ୍ଲାପାଳ ସରୋଜ ସାମଲଙ୍କ ସ୍ଥାନରେ ଆଇଏଏସ ଅବୋଲି ସୁନିଲ ନରଭଣେଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ତୁରନ୍ତ ଝାରସୁଗୁଡା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାକୁ ଆବୋଲି ସୁନୀଲ ନରଭଣେଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆବୋଲି ସୁନୀଲ ନରଭଣେ ହେଉଛନ୍ତି 2015 ବ୍ୟାଚର ଆଇଏଏସ । ତାଙ୍କ ପରେ ସୋନପୁର ଜିଲ୍ଲାପାଳ ଦାୟିତ୍ୱରେ ରହିବେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ । ଝାରସୁଗୁଡା ଜିଲ୍ଲାପାଳ ବଦଳି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଜିଲ୍ଲାପାଳ ଥିବା ବରିଷ୍ଠ ରାଜ୍ୟ ପ୍ରଶାସନିକ ଅଧିକାରୀ ସରୋଜ କୁମାର ସାମଲ ଅବସର ନେଇଥିବାରୁ ଜିଲ୍ଲାପାଳ ବଦଳି ହୋଇଥିବା କୁହାଯାଉଛି ।
ଝାରସୁଗୁଡାରେ ଉପ ନିର୍ବାଚନ ଥିବାରୁ ଜିଲ୍ଲାର ସ୍ଥିତି ବର୍ତ୍ତମାନ ସମ୍ବେଦନଶୀଳ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ପରେ ଉପନିର୍ବାଚନ ହେଉଥିବାରୁ ଜିଲ୍ଲାରେ ରାଜନୈତିକ ମାହୋଲ ସରଗରମ ରହିଛି । ତେଣୁ ତୁରନ୍ତ ଦାୟିତ୍ୱ ନେବା ଲାଗି ଅବୋଲି ସୁନୀଲ ନରଭଣେଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ପ୍ରକ୍ରିୟା ସହିତ ଜିଲ୍ଲାରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରି ରହିଛି । ନବ ଦାସଙ୍କ ହତ୍ୟା ପରେ ଜିଲ୍ଲା ଏସପିଙ୍କୁ ବଦଳି ନେଇ ଚର୍ଚ୍ଚା ଲାଗି ରହିଥିଲା । ହେଲେ ସ୍ଵଳ୍ପ ଦିନ ଚାକିରି କାର୍ଯ୍ୟକାଳ ଥିବାରୁ ତାଙ୍କୁ ବଦଳି କରାଯାଇନଥିବା କୁହାଯାଉଛି ।
ଏହା ମଧ୍ୟ ପଢନ୍ତୁ- Tamil Nadu Fake Video: ବିହାର ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବିରୋଧରେ ଲାଗିଲା NSA