ଝାରସୁଗୁଡ଼ା:ପୁଣି ସାମ୍ନାକୁ ଆସିଲା ଭୋକର ଆଉ ଏକ କରୁଣ ଚିତ୍ର । ବୋଲ ମାନୁନି ଭୋକ, ଏଥିପାଇଁଁ ତ ଡଷ୍ଟବିନରେ ପଡିଥିବା ଅଇଁଠା ବାସୀ ଖାଦ୍ୟକୁ ମଧ୍ୟ ସେ ଆପଣେଇ ନେଉଛି । ଭୋକର ବିକଳ ଚିତ୍ରଟି ଦେଖିବା ପରେ ଛାତି କୁ ଥରାଇ ଦେଇଛି । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରୁ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅଚିହ୍ନା ଓ ଅଲୋଡା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ୱାର୍ଡରେ ରହୁଥିବା ଜଣେ ମାନସିକ ରୋଗୀ ମୁଠାଏ ଖାଦ୍ୟ ପାଇଁ ଏଭଳି ଡହଳବିକଳ ହେଉଥିବା ଦେଖିବାକୁ ମିଳିଛି । ଭାଇରଲ ଭିଡିଓ ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସାମାଜିକ କର୍ମୀ ଓ ବିରୋଧୀ ବିଜେପି ।
କ୍ଷୁଧାର ଆଉ ଏକ କରୁଣ ଚିତ୍ର
ସେଦିନ ସୁଦାନ, ଆଜି ଝାରସୁଗୁଡା… ସେଦିନ ନଗଡା, ଆଜି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ସେଠି ବି ଥିଲା ଭୋକିଲା ପେଟ, ଏଠି ବି ଅଛି ଭୋକିଲା ପେଟ । ଆହାର ବିନା ପେଟ ଯେବେ ଆଁ କରେ ସେବେ ଜଣାପଡେନି ଭଲ-ମନ୍ଦ, ବାସି-ସଜ, ଗରମ-ଥଣ୍ଡା, ଲୁଣିଆ-ଅଲଣିଆ, ସୁଆଦିଆ-ଅସୁଆଦିଆ । ଖାଲି ଦରକାର ଖାଦ୍ୟ ଆଉ ଖାଦ୍ୟ । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡଷ୍ଟବିନରୁ ଜଣେ ନିରାଶ୍ରୟଙ୍କ ଏଭଳି ଖାଦ୍ୟ ଗୋଟାଇ ଖାଇବା ଭିଡିଓ ଭାଇରାଲ ହେବାକୁ ଲାଗିଛି । କିଛି ଦିନ ତଳେ କୋଇଡା ଅଂଚଳର ଏକ ଶିଶୁ ଖଲି ଚାଟିବା ଘଟଣା ସମସ୍ତ ଙ୍କୁ ବିଚଳିତ କରିଥିଲା । ଏବେ ଏମିତି ଆଉ ଏକ ଘଟଣା ହୃଦୟ ଥରାଇଦେଇଛି । ଭୋକ ଓ ଭୋକିଲାର ଏହି କରାଳ ଦୃଶ୍ୟର ଏକ ଭିଡିଓ ଏବେ ଝାରସୁଗୁଡା ଜିଲ୍ଲାରେ ଭାଇରାଲ ହୋଇଛି । ଭିଡିଓ ଟିରେ ଜଣେ ଅସହାୟ ଏକ ଡଷ୍ଟବିନ ଭିତରୁ ଖାଇବା ବାହାର କରି ଖାଉଥିବାର ଦେଖିବାକୁ ମିଳୁଛି । ଏହା ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲାବାରିସ ରୁମ ନିକଟର ଦୃଶ୍ୟ ବୋଲି ଜଣାପଡିଛି ।
ହେଲେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲାଲ ମୋହନ ରାଉତରାୟଙ୍କୁ ପଚାରିବାରୁ କହିଛନ୍ତି ସେ ଏ ବିଷୟରେ ଅବଗତ ନଥିଲେ । ଏନେଇ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।ତେବେ ଏପରି ଘଟଣା ଯେପରି ଅଗାମୀ ଦିନରେ ନଘଟେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସିଡିଏମଓ କହିଛନ୍ତି ।