ବେସରକାରୀ କଲେଜ କ୍ଲର୍କଙ୍କ ସନ୍ଦେହ ଜନକ ଆତ୍ମହତ୍ୟା ଝରସୁଗୁଡ:ଝରସୁଗୁଡା ଜିଲ୍ଲାପାଳ ଅଫିସ ନିକଟରେ ଜଣେ କ୍ଲର୍କଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଏଲ.ଏନ କଲେଜରେ ଆକାଉଣ୍ଟାଣ୍ଟ ଏବଂ କ୍ଲର୍କ କାର୍ଯ୍ୟରତ ଅଶୋକ ପ୍ରଧାନ ବୋଲି ସୂଚନା ମିଳିଛି । ଗତକାଲି ରାତିରେ ଘଟଣା ଘଟିଥିବା ସୂଚନା ମିଳିଛି । ଘଟଣା ସ୍ଥଳେ ସାଇନ୍ଟିଫିକ ଟିମ ଏବଂ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତ ଅଶୋକ ଲେକ୍ଚର କଲୋନୀ ରେ ତାଙ୍କ ପରିବାର ସହ ରୁହନ୍ତି । ତାଙ୍କ ଦୁଇ ପୁଅ ଓ ସ୍ତ୍ରୀଙ୍କସହ ରୁହନ୍ତି ।
କଲେଜ ପ୍ରିନ୍ସିପାଲଙ୍କ କହିବା ଅନୁଯାୟୀ ସେ ଗତ 23ତାରିଖରୁ କଲେଜ ଆସୁନଥିଲେ । ତେଣୁ ତାଙ୍କୁ କଲେଜ ପକ୍ଷରୁ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ଏକ ନୋଟିସ ଦିଆଯାଇଥିଲା । ତେବେ ତାଙ୍କ ପରିବାର ପକ୍ଷରୁ ଆଜି କାର୍ଯ୍ୟରେ ଯୋଗଦେବେ ଅଶୋକ ବୋଲି ସୂଚନା ଦିଆଯାଇଥିଲା । ହେଲେ ଆଜି କାର୍ଯ୍ୟରେ ଯୋଗ ଦେବାର ଥିବବେଳେ ତାଙ୍କର ଆତ୍ମହତ୍ୟା ଖବର ଆସିଥିଲା । ତେବେ ଆତ୍ମହତ୍ୟା ନା ହତ୍ଯା ତାହା ପୋଲିସର ତଦନ୍ତ ପରେ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି ।
ତେବେ ସୂଚନା ଥାଉକି ଗତକାଲି ଦିନବେଳେ ଅଶୋକ ଘରୁ କୌଣସି ଆଡ଼କୁ ଚାଲି ଯାଇଥିଲେ । ଘରକୁ ଫେରି ନଥିଲେ ଅଶୋକ । ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ରାତିସାରା ଖୋଜିବା ପରେ ମଧ୍ୟ କୌଣସି ପତ୍ତା ମିଳି ନଥିଲା । ତେବେ ହଠାତ ସକାଳୁ ଲେକଚର କୋଲୋନୀ ସ୍ଥିତ ଏକ ବଡ଼ ଗଛରେ ତାଙ୍କ ଶରୀରକୁ ଝୁଳନ୍ତା ଅବସ୍ଥାରେ ଦେଖିଥିଲେ ତାଙ୍କ ସ୍ତ୍ରୀ । ପୋଲିସ କୁ ଖବର ଦେବା ପରେ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ ଆଣିଲା ପରିବାର ।
ତେବେ ନିକଟରେ ଢେଙ୍କାନାଳ ପୋଲିସ କଲୋନୀରୁ ଗୃହରକ୍ଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଢେଙ୍କାନାଳ ରିଜର୍ଭ ପୋଲିସ ଲାଇନ ସ୍ଥିତ ପୋଲିସ କଲୋନୀରେ ଜଣେ ମହିଳା ଗୃହରକ୍ଷୀଙ୍କ ମୃତଦେହ ମିଳିଥିଲା । ସୁନିତାଙ୍କ ଘର ସଦର ଥାନା ବିଦାବନ୍ଧ ଗ୍ରାମରେ ହୋଇଥିବା ନେଇ ସୂଚନା ରହିଛି । ସୁନିତା ଓ ତାଙ୍କ ସ୍ୱାମୀ ଉଭୟ ଢେଙ୍କାନାଳ ଗୃହରକ୍ଷୀ ବାହିନୀରେ ଗୃହରକ୍ଷୀ ଭାବେ କାମ କରନ୍ତି । ସୁନିତା ପରିବାର ସହ ଢେଙ୍କାନାଳ ରିଜର୍ଭ ପୋଲିସ ଲାଇନ ସ୍ଥିତ ପୋଲିସ କଲୋନୀରେ ରହୁଥିଲେ ।
ଇଟିଭି ଭାରତ, ଝରସୁଗୁଡ