ଝାରସୁଗୁଡା:ଜାଲ ନୋଟ କାରବାରରେ ବନ୍ଧା ହେଲେ ରେଳ ବିଭାଗର କିରାଣୀ । ଝାରସୁଗୁଡା ବ୍ରଜରାଜନଗର ଥାନା ଅନ୍ତର୍ଗତ ଚାନ୍ଦନୀଚୌକ ଅଞ୍ଚଳରୁ ସମ୍ପୃକ୍ତ କିରାଣୀ ଜଣଙ୍କୁ ଗିରଫ କରାଯାଇଛି । ଘଟଣାସ୍ଥଳରୁ 57 ହଜାର ଜାଲ ନୋଟ ଜବତ ହୋଇଛି । ଅଭିଯୁକ୍ତ ଜଣକ ବ୍ରଜରାଜନଗର ରେଳ ଷ୍ଟେସନର ବରିଷ୍ଠ ବାଣିଜ୍ୟ ତଥା ଆରକ୍ଷଣ କିରାଣୀ ଭାବେ କାର୍ଯ୍ୟରତ ରମଣ କୁମାର ରଜାକ । ସେ ମଧ୍ୟପ୍ରଦେଶ ସହଡୋଲର ମୂଳ ବାସିନ୍ଦା ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତ୍ରିରେ ବ୍ରଜରାଜନଗର ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରମଣ ରଜାକ ରହୁଥିବା ଭଡା ଘରେ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ଏକ କଳା ବ୍ୟାଗରେ 114ଟି 500 ଟଙ୍କିଆ ଜାଲ ନୋଟ ଜବତ କରିଥିଲା । 114ଟି ଜାଲ ନୋଟ ମଧ୍ୟରେ ୫୨ଟି ୫ପିବି ୪୧୭୭୮୪ ଓ ୬୨ଟି ୮ଟି ଏନ୧୫୭୨୧୦ ସମାନ ନମ୍ବରର ୫୦୦ ଟଙ୍କିଆ ରହିଛି । ସେପଟେ ଛତିଶଗଡ଼ ରାଜ୍ୟର ବିଳାସପୁର-ଦୁର୍ଗ ଅଞ୍ଚଳରେ ରହୁଥିବା ଜଣେ ସମ୍ପର୍କୀୟ ଭାଇଙ୍କ ଠାରୁ ୨୦ ହଜାର ଟଙ୍କା ବଦଳରେ ୫୭ ହଜାର ଟଙ୍କା ଜାଲ ନୋଟ ଆଣିଥିବା ରମଣ ପୋଲିସକୁ କହିଥିବା ସୂଚନା ମିଳିଛି ।