ଝାରସୁଗୁଡା: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ସକାଳୁ ଆରମ୍ଭ ହୋଇଛି 12 ଘଣ୍ଟିଆ ପଶ୍ଚିମଓଡିଶା ବନ୍ଦ । ପଶ୍ଚିମଓଡିଶା ଓକିଲ ସମୂହର ନିଷ୍ପତ୍ତି ପରେ ଏହି ବନ୍ଦ କରାଯାଇଛି ।
ଦୁଇ ସପ୍ତାହ ତଳେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଓକିଲମାନେ ଆନ୍ଦୋଳନ ନ କରିବା ସମ୍ପର୍କରେ ମତ ଦେବା ପରେ ବାର କାଉନ୍ସିଲ ଆନ୍ଦୋଳନରେ ରହୁଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରିଥିଲେ। ଏଭଳି ସୁପାରିଶ କରାଯିବା ପରେ ପଶ୍ଚିମ ଓଡିଶାର ସମସ୍ତ ଓକିଲ ସଂଘ ପ୍ରତିକ୍ରିୟାଶୀଳ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, 12 ଘଣ୍ଟିଆ ପଶ୍ଚିମଓଡିଶା ବନ୍ଦ ତେବେ ଏହି ବନ୍ଦକୁ ସଫଳ କରିବାକୁ ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ, ବନହରପାଲି, କୋଲାବିରା, ଲଇକେରା, କିର୍ମିରା, ଲଖନପୁର ପ୍ରଭୃତି ଅଞ୍ଚଳରେ ପିକେଟିଂ କରାଯାଉଛି। ସକାଳୁ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବାବେଳେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଛି।
ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିବାବେଳେ ସକାଳ 10 ଟା ପରେ ସମସ୍ତ ସରକାରୀ ଅଫିସ, ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟକୁ ପିକେଟିଂ କରି ବନ୍ଦ କରିଛନ୍ତି ଆନ୍ଦୋଳନକାରୀ। ତେବେ ଆଇନଜୀବୀଙ୍କ ଆନ୍ଦୋଳନକୁ ସବୁ ରାଜନୈତିକ ଦଳ, ବିଭିନ୍ନ ଗଣ ସଂଗଠନ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ