ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଭିସାଷ୍ଟିଲ କାରଖାନାରେ ଦେଖା ଦେଇଛି ଶ୍ରମିକ ଅଶାନ୍ତି (Workers strike at visastil factory in Kalinga nagar industrial area)। ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି କମ୍ପାନୀ ନାମରେ ବିଭିନ୍ନ ସମୟରେ ଆକ୍ରୋଶ ମୂଳକ ଭାବେ ଅଭିଯୋଗ କରିବା ଯୋଗୁଁ କାରଖାନା ବନ୍ଦ ହୋଇଯିବାର ସମ୍ଭାବନା ଦେଖାଦେଇଛି । ଯାହାକୁ ନେଇ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।
ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଯଖପୁରା ନିକଟରେ ଥିବା ଭିସା ଷ୍ଟିଲ କାରଖାନାରେ ମାତ୍ରାଧିକ ପ୍ରଦୂଷଣ (Workers strike at visastil factory) । ଏଭଳି ଅଭିଯୋଗ କରି କାରଖାନାକୁ ଅଚଳ କରିଦେବାକୁ କରାଯାଉଛି ଷଡ଼ଯନ୍ତ୍ର । ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କ ଚକ୍ରାନ୍ତ ଯୋଗୁଁ କାରଖାନାରେ ଦେଖାଦେଇଛି ଅସ୍ଥିରତା । ଯାହାଦ୍ବାରା କାରଖାନା ବନ୍ଦ ହେବାକୁ ବସିଲାଣିି । ତେବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶହଶହ ଶ୍ରମିକ ଏବଂ ସ୍ଥାନୀୟ ଲୋକ । କାରଖାନା ବନ୍ଦ ହେଲେ ଜୀବନ ଜୀବିକା ହରାଇବେ ବୋଲି ଯୁକ୍ତି ବାଢିଛନ୍ତି ଅଞ୍ଚଳବାସୀ ।
ଏନେଇ କାରଖାନାର ଶ୍ରମିକମାନେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାସହ ସ୍ଥାନୀୟ ଅଞ୍ଚଳର କିଛି ବରିଷ୍ଠ ନାଗରିକ ଓ ବ୍ୟକ୍ତି ବିଶେଷ ମଧ୍ୟ ଏନେଇ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୂଚନାନୁସାରେ ଜନୈକ ସମାଜସେବୀ ବାରମ୍ବାର ବିଭିନ୍ନ ମହଲରେ କାରଖାନା ବିରୋଧରେ ମିଥ୍ୟା ଅଭିଯୋଗ କରିଆସୁଛନ୍ତି ।