ଯାଜପୁର:ଆରମ୍ଭ ହେଲା ବ୍ୟାସ ସରୋବର ମହୋତ୍ସବ । ବୁଧବାର ଥିଲା ପବିତ୍ର ଭୈମ ଏକାଦଶୀ । ଏହି ପବିତ୍ର ତିଥିରୁ ହିଁ ଆରମ୍ଭ ହୋଇଥାଏ ଯାଜପୁରର ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ ଓ ମେଳା । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବ୍ୟାସନଗର ପୌରପରିଷଦ ପକ୍ଷରୁ ଆୟୋଜିତ ହୋଇଛି ବ୍ୟାସ ସରୋବର ମହୋତ୍ସବ । କୋରୋନା ଯୋଗୁଁ ଗତ ୨ ବର୍ଷ ବାତିଲ ହୋଇଥିଲା ମହୋତ୍ସବ । ଏବର୍ଷ କୌଣସି କଟକଣା ନଥିବାରୁ ଶହଶହ ଶ୍ରଦ୍ଧାଳୁ ପୀଠକୁ ଆସି ଦିଅଁ ଦର୍ଶନ କରିଛନ୍ତି । ତା ସହିତ ଗୁପ୍ତ ଗଙ୍ଗାର ଜଳସିଞ୍ଚନ କରି ପୂଣ୍ୟ ଅର୍ଜ୍ଜନ କରୁଛନ୍ତି । ମନ୍ଦିରରେ ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କ ପୂଜାର୍ଚ୍ଚନା ଚାଲିଛି ।
ଗୋଟିଏ ମନ୍ଦିରରେ ଗୁରୁ ଏବଂ ଉପାସକଙ୍କୁ ଏକତ୍ର ପୂଜା କରିବାର ନିଆରା ପରମ୍ପରା କାହିଁ କେତେ କାଳରୁ ରହିଆସିଛି । ବିଶ୍ବାସ ରହିଛି ଏଠାରେ ଯାହା ମନସ୍କାମନା କରାଯାଏ ତାହା ଅବିଳମ୍ବେ ପୂରଣ ହୁଏ । ସେଥିଲାଗି ଦିଅଁ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟିଥାଏ ଶ୍ରଦ୍ଧାଳୁଙ୍କ ସୁଅ । ବିଗତ 16 ବର୍ଷ ଧରି ବ୍ୟାସନଗର ପୌରପରିଷଦ ଆନୁକୂଲ୍ୟରେ ବ୍ୟାସସରୋବର ମେଳା ସହିତ ମହୋତ୍ସବ ପାଳିତ ହୋଇଆସୁଛି ।
ମାତ୍ର କୋଭିଡ୍ ଯୋଗୁଁ ଗତ ଦୁଇବର୍ଷ ମହୋତ୍ସବକୁ ବାତିଲ କରାଯାଇଥିଲା । ସନ୍ଧ୍ୟାରୁ ଆରମ୍ଭ ହେବ ବ୍ୟାସସରୋବର ମହୋତ୍ସବ । ଏଠାରେ ଦୋଳି ଓ ମୀନାବଜାର ଖୋଲିବା ସହ ଭେଳିକି ଭେଳି ଷ୍ଟଲମାନ ସ୍ଥାନ ପାଇବେ । ନାମିଦାମୀ କଳାକାର ଓ ସିନେତାରକାଙ୍କ ଦ୍ବାରା ପ୍ରତିଟି ସନ୍ଧ୍ୟାରେ ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।