ଉଦଯାପିତ ହେଲା ବ୍ୟାସ ସରୋବର ମହୋତ୍ସବ ଯାଜପୁର: ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ପୀଠରେ ଉଦଯାପିତ ହୋଇଛି ବ୍ୟାସ ସରୋବର ମହୋତ୍ସବ-2023 । ବ୍ୟାସନଗର ପୌରପାଳିକା ପକ୍ଷରୁ ଦୀର୍ଘ 11ଦିନ ଧରି ଚାଲିଥିଲା ମେଳା ଓ ମହୋତ୍ସବ । ପ୍ରତିଟି ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ବଲିଉଡ, ଓଲିଉଡର କଣ୍ଠଶିଳ୍ପୀ ଏବଂ ହାସ୍ୟ ଅଭିନେତା । ମହୋତ୍ସବର ଶେଷ ସନ୍ଧ୍ୟାରେ ମୀନାବଜାର ବୁଲିବା ସହ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ଖାଇ ଉପଭୋଗ କରିଥିଲେ ଦର୍ଶକ ।
ଯାଜପୁର ଜିଲ୍ଲା ବ୍ୟାସ ସରୋବର ପୀଠରେ ଦୀର୍ଘ ଶହେ ବର୍ଷ ଧରି ଏହି ଉତ୍ସବ ଚାଲିଥିବା ବେଳେ 17ବର୍ଷ ହେବ ପୌରପରିଷଦ ପକ୍ଷରୁ ମେଳାକୁ ମହୋତ୍ସବ ରୂପେ ପାଳନ କରାଯାଉଛି । ପ୍ରତିବର୍ଷ ପବିତ୍ର ଭୌମ ଏକାଦଶୀ ଠାରୁ ଆରମ୍ଭ ହୋଇଥାଏ ବ୍ୟାସ ସରୋବର ମହୋତ୍ସବ । ଏହି ପୀଠ ସମ୍ପର୍କରେ ସାରଳା ଦାସଙ୍କ ଓଡ଼ିଆ ମହାଭାରତରେ ନାନା କାହାଣୀ ବର୍ଣ୍ଣନା ରହିଛି । ମହୋତ୍ସବର ଉଦଯାପନୀ ଉତ୍ସବରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:Unrest at Utkal University: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସମ୍ମୁଖରେ BCJD ନେତାଙ୍କ ପ୍ରତିବାଦ
ସେହିପରି ରାଜ୍ୟସଭା ସାଂସଦ ସୁଲତା ଦେଓ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ, ସାଂସଦ ଓ ସ୍ଥାନୀୟ ବିଧାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ମେଳାରେ ଷ୍ଟଲ୍ ଦେଇଥିବା ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଓ ସଦସ୍ୟା, ସ୍ଥାନୀୟ ଥାନାର ପୋଲିସ ଅଧିକାରୀ, ବିଦ୍ୟୁତ ବିଭାଗର SDO, ଅଗ୍ନିଶମ ବିଭାଗର ଅଧିକାରୀ ଓ ପୌରପରିଷଦର ବିଭିନ୍ନ ୱାର୍ଡର କାଉନସିଲର ସଭ୍ୟସଭ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାରଙ୍କ ଦ୍ବାରା ପରିବେଷିତ ହୋଇଥିଲା ବିଭିନ୍ନ ସାଂସ୍କ୍ରୁତିକ କାର୍ଯ୍ୟକ୍ରମ । ଅନ୍ତିମ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଉପଭୋଗ କରିଥିଲେ ଦର୍ଶକ ।
ଏହା ମଧ୍ୟ ପଢ଼ନ୍ତୁ:ସମ୍ପୂର୍ଣ୍ଣ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ, ଜଙ୍ଗଲ ଜମିକୁ ଅନୁମୋଦନ ପରେ ବୌଦ୍ଧରେ ଉତ୍ସାହ
ମୀନାବଜାର, ଦୋଳି ଓ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରତି ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ବଲିଉଡ, ଓଲିଉଡର କଣ୍ଠଶିଳ୍ପୀ ଏବଂ ହାସ୍ୟ ଅଭିନେତା । କୋଭିଡ ଯୋଗୁଁ ଗତ ଦୁଇବର୍ଷ ମହୋତ୍ସବ ବାତିଲ ରହିଥିଲା । ତେବେ ଏବର୍ଷ ପୁଣି ମହୋତ୍ସବକୁ ଉପଭୋଗ କରିବାର ସୁଯୋଗ ପାଇ ଦର୍ଶକମାନେ ବେଶ ଆନନ୍ଦିତ ଅଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ପୌର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।
ଇଟିଭି ଭାରତ, ଯାଜପୁର