ଯାଜପୁର:କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଆଜି (ଶୁକ୍ରବାର) ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଗସ୍ତରେ ଆସିଛନ୍ତି । ଆଜି ସକାଳେ କେନ୍ଦ୍ରମନ୍ତ୍ରୀ କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଜିନ୍ଦଲ ଇସ୍ପାତ କାରଖାନା ପରିସରରେ ହେଲିକେପ୍ଟର ଯୋଗେ ଆସି ପହଞ୍ଚିଥିଲେ । ପରେ ଜିନ୍ଦଲ କାରଖାନା ବୁଲି ଦେଖିଥିଲେ । ଏହି ଅବସରରେ ମନ୍ତ୍ରୀ କାରଖାନା ପରିଚାଳନା କମିଟିର ଅଭିଜ୍ଞ ଅଧିକାରୀମାନଙ୍କ ସହ ଇସ୍ପାତ ଉତ୍ପାଦନରେ ନୂତନ ଜ୍ଞାନକୌଶଳର ଆବଶ୍ୟକତା ସମ୍ପର୍କିତ ଏକ ବୈଠକରେ ଅଂଶଗ୍ରହଣ କରିଥିଲେ ।
ପରେ ଯୁବ ଇଞ୍ଜିନିୟର ମାନଙ୍କୁ ସମ୍ବୋଧିତ କରିଥିଲେ । ନିଜ ବକ୍ତବ୍ୟରେ ମନ୍ତ୍ରୀ ସିଂହ ଆସନ୍ତା ୨୦୩୦ ସୁଦ୍ଧା ଭାରତର ଇସ୍ପାତ ଉତ୍ପାଦନକୁ ୧୨୦ ମିଲିୟନ ଟନରୁ ୨୫୫ ମିଲିୟନ ଟନକୁ ବୁଦ୍ଧି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ପ୍ରସଂଗରେ ସୂଚନା ଦେଇଥିଲେ । ଓଡିଶାରେ ବିପୁଳ ପରିମାଣରେ ଲୁହାପଥର ଗଚ୍ଛିତ ରହିଥିବାରୁ ଏହାର ସଦୁପୋଯୋଗ ସହ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟରେ ପହଞ୍ଚିବା ନିମନ୍ତେ ଓଡିଶା ସହାୟକ ହେବ ବୋଲି ସେ କହିଥିଲେ ।