ଯାଜପୁର: ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପରିପ୍ରେକ୍ଷୀରେ ଡୁବୁରୀ ଠାରେ ଆୟୋଜିତ ସୁରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗଦେଇ ବିଶାଳ ମହିଳା ସମାବେଶକୁ ଉଦବୋଧନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଆୟୋଜିତ ଉତ୍ସବରେ ଉଦବୋଧନ ଦେଇ ଦେଶକୁ ଏକ ପ୍ରଗତୀଶୀଳ ରାଷ୍ଟ୍ରରେ ପରିଣତ କରିବାକୁ ସାମୂହିକ ଶପଥ କରାଇଥିଲେ ।
ମନ୍ତ୍ରୀ ପ୍ରଥମେ ବ୍ୟାସନଗର ନଟପଦା ସ୍ଥିତ ଘରୋଇ ସ୍କୁଲରେ ଆୟୋଜିତ 'ମେରା ମାଟି ମେରା ଦେଶ' କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍କୁଲ ପରିସରରେ ଅମୃତ ବାଟିକାରେ ଗଛ ଲଗାଇ ଦେଶପ୍ରେମର ବାର୍ତ୍ତା ଦେଇଥିଲେ । କୁନିକୁନି ଛାତ୍ରଛାତ୍ରୀମାନେ ଜାତୀୟ ପତାକା ପ୍ରଦର୍ଶନ କରି କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ । ଦେଶର 6 ଲକ୍ଷ ଗ୍ରାମରୁ ମାଟି ସଂଗ୍ରହ କରି ଭାରତର ରାଜଧାନୀ ଦିଲ୍ଲୀକୁ ପଠାଉଥିବାରୁ ଏହାକୁ ନେଇ ଗର୍ବିତ ମନେ କରିଥିଲେ । ସେ ନିଜ ବକ୍ତବ୍ଯରେ ଦେଶପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କୁ ସର୍ବଦା ସମ୍ମାନ ପ୍ରଦାନ ନିମନ୍ତେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସ୍କୁଲର କୁନିକୁନି ଛାତ୍ରୀଗଣ ମନ୍ତ୍ରୀଙ୍କୁ ରାଖି ବାନ୍ଧି ବନ୍ଦାପନା କରିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ କଳିଙ୍ଗନଗର ଅନ୍ତର୍ଗତ ଡୁବୁରି କପିଳେଶ୍ୱର ପଡିଆରେ ଆୟୋଜିତ ସୁରକ୍ଷା ବନ୍ଧନ ଉତ୍ସବରେ ଯୋଗ ଦେଇଥିଲେ । ଏଠାରେ ଆୟୋଜିତ ବିଶାଳ ଜନସମାବେଶରେ କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନାର ସୁଫଳ କିଭଳି ଲୋକଙ୍କ ପାଖରେ ପହଞ୍ଚିପାରିବ ସେନେଇ ଗୁରୁତ୍ବାରୋପ କରିଥିଲେ ।