ଯାଜପୁର:ଦୁଇ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ରାଜପଥ କଡରେ ସ୍ଥାନୀୟ ଯୁବକଙ୍କ ତୁମୁଳ କାଣ୍ଡ । ଯାଜପୁର ଜିଲ୍ଲା ମିର୍ଜାପୁର ଛକରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ପାଣିକୋଇଲି ଓ ଯାଜପୁର ରୋଡକୁ ସଂଯୋଗ କରୁଥିବା ୨୦ ନମ୍ବର ଜାତୀୟ ରାଜପଥର ବେଣାପୁର ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଜହ୍ନା ଗ୍ରାମବାସୀ ।
ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ମୃତକଙ୍କ ପରିବାର ଲୋକ ଓ ଗ୍ରାମବାସୀ ଏହାକୁ ହତ୍ୟାକାଣ୍ଡ ବୋଲି ଦାବି କରିଛନ୍ତି । ସେପଟେ ଘଟଣାର ରହସ୍ୟ ଉନ୍ମୋଚନ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜାତୀୟ ରାଜପଥରେ ସ୍ଥାନୀୟ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଘଣ୍ଟା ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ରହିଛି ।
ତେବେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ସେପଟେ ପୋଲିସ ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅନୁସନ୍ଧାନ ଜାରି ରହିଛି । ସୂଚନାନୁଯାୟୀ ଆଜି (ଶୁକ୍ରବାର) ସକାଳେ ସ୍ଥାନୀୟ ଲୋକେ 16ନଂ ଜାତୀୟ ରାଜପଥର ମିର୍ଜାପୁର ଠାରେ ଦୁଇଟି ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ। ଲୋକେ ପାଣିକୋଇଲି ପୋଲିସକୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରିଥିଲା ।