ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ବନକ୍ଷତ୍ର ଦିବସ । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି । ଏହି ପବିତ୍ର ଦିବସରେ ମା'ଙ୍କୁ ଦର୍ଶନ କରିବା ଓ କୃପା ଭିକ୍ଷା କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମନ୍ଦିର ପରିସରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ପ୍ରାତଃ ସମୟରେ ମା'ଙ୍କୁ ସ୍ନାନ କରାଯାଇ ସ୍ବତନ୍ତ୍ର ଭାବେ ସାବିତ୍ରୀ ବେଶରେ ସଜ୍ଜିତ କରାଯାଇ ପିଠା ଭୋଗ ନୈବେଦ୍ୟ ଅର୍ପଣ କରାଯାଇଛି । ମା'ଙ୍କ ଏହି ବେଶର ଦର୍ଶନ ନିମନ୍ତେ ଯାଜପୁର ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ ସମବେତ ହୋଇଛନ୍ତି ।
ଆଜିର ଦିନରେ ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ ଆର୍ବିଭୂତା ହୋଇଥିଲେ ମା ବିରଜା । ପ୍ରାତଃ ୬ଟା ୧୫ ସମୟରେ ମାଙ୍କୁ ମହାସ୍ନାନ କରାଯାଇ ଷୋଡଷ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି । ପରେ ମା ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମନ୍ଦିର ପରିସରରେ ବେଦମନ୍ତ୍ରପାଠ କରାଯାଇ ମାଙ୍କୁ ଆବାହନ କରାଯାଉଛି ।