ଯାଜପୁର:କୋରେଇ ରେଳ ଷ୍ଟେସନରେ ସ୍ୱାଭାବିକ ହେଲା ରେଳ ଚଳାଚଳ, ସମସ୍ତ ଲାଇନରେ ଟ୍ରେନ ଯାତାୟତ ଆରମ୍ଭ ହୋଇଛି । ଦୀର୍ଘ ୧୪ ଘଣ୍ଟା ଧରି ରେଳ ଚଳାଚଳ ବନ୍ଦ ରିବା ପରେ ଆଜି ସ୍ବାଭାବିକ ହୋଇଛି । କୋରେଇ ଷ୍ଟେସନରେ ଗତକାଲି ଦୁର୍ଘଟଣା ଘଟିବା ପରେ ବନ୍ଦ ରହିଥିବା ଟ୍ରେନ ଯାତାୟତ । ରେଳ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଟ୍ରେନ ଲାଇନ ଠିକ ହୋଇଥିଲା । ଆଜି ସକାଳ ସୁଦ୍ଧା ସମସ୍ତ ଟ୍ରେନ ଲାଇନ ଠିକ ହେଇଯାଇଥିବା ସୂଚନା ମିଳିବା ପରେ ରେଳ ଚଲାଚଳ ସ୍ବଭାବିକ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳ ସମୟରେ ଏକ ମାଲବାହୀ ଟ୍ରେନ ଭାରସାମ୍ୟ ହରାଇ ଯାତ୍ରୀ ବିଶ୍ରାମଗୃହକୁ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଟ୍ରେନର 4ଟି ଡବା ପ୍ଲାଟଫର୍ମ ଉପରକୁ ମାଡ଼ିଯିବା ସହିତ ଫୁଟ ଓଭର ବ୍ରିଜ ଯାତ୍ରୀ ବିଶ୍ରାମଗୃହ ସମେତ ଟିକେଟ କାଉଣ୍ଟର ଗୃହ ସମ୍ପୂର୍ଣ୍ଣ ବାଙ୍ଗି ଯାଇଛି । ଏଥିରେ ଷ୍ଟେସନମାଷ୍ଟର କାର୍ଯ୍ୟାଳୟ ମଧ୍ୟ ଅଧା ଭାଙ୍ଗିଯାଇଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ କୋରେଇ ଷ୍ଟେସନରେ ରେଳ ଚଳାଚଳ ଠପ ହୋଇଯାଇଥିଲା ।
ଏକ୍ସପର୍ଟ ଟିମ ଆସି ତଦନ୍ତ ଆରମ୍ଭ କରିଥିବାବେଳେ, ପୂର୍ବତଟ ରେଳବାଇ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ତେବେ ଏହି ଟ୍ରେନ୍ ଦୁର୍ଘଟଣାରେ ଆହତ ଓ ମୃତ ବ୍ୟକ୍ତି ମାନେ ଚିକିତ୍ସା ପାଇଁ ପ୍ରଥମେ କୋରେଇ ଓ ପରେ ଯାଜପୁର ରୋଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ଟ୍ରେନ ଦୁର୍ଘଟଣା ପରେ ଗତକାଲି ୮ଟିଟ୍ରେନ ବାତିଲ କରାଯାଇଥିଲା । ସେହିପରି ୧୬ଟି ଟ୍ରେନର ମାର୍ଗ ପରିବର୍ତ୍ତନ ଓ ୫ଟି ଟ୍ରେନ ଆଂଶିକ ବାତିଲ ହୋଇଥିଲା ।