ଯାଜପୁର:ତିନିଦିନ ପରେ ନାଗସାପ ଉଦ୍ଧାର। ତିନିବର୍ଷ ଛୁଆକୁ କାମୁଡିଥିବାରୁ ମେଡିକାଲରୁ ଛୁଆ ନଫେରିବା ପର୍ଯ୍ୟନ୍ତ ସାପକୁ ଛଡ଼ାଯିବ ନାହିଁ ବୋଲି ଜିଦ ଧରି ବଡ଼ ଡ୍ରମ ଭିତରେ ଏକ କଳା ନାଗସାପକୁ ବନ୍ଦୀକରି ରଖିଥିଲେ ଗ୍ରାମବାସୀ। ଆଉ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାଗସାପକୁ ଉଦ୍ଧାର କରିଛନ୍ତି। ଅପରପକ୍ଷରେ ସାପ କାମୁଡିଥିବା ତିନିବର୍ଷ ନାବାଳକ କଟକ ବଡ଼ ମେଡ଼ିକାଲରେ ସୁସ୍ଥ ଥିବା ଜଣାପଡିଛି। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଏଭଳି ଘଟିଥିବା ଜଣାପଡିଛି। ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ମାନଗୋବିନ୍ଦପୁରରେ।
ସାପ କାମୁଡ଼ିଲା ବୋଲି ସାପକୁ ଏକ ବଡ଼ ଡ୍ରମ ଭିତରେ ତିନିଦିନ ଧରି ଆବଦ୍ଧ କରି ରଖିଲେ ଗ୍ରାମବାସୀ। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଏଭଳି ଘଟିଥିବା ଜଣାପଡ଼ିଥିବା ବେଳେ ଆଜି ଖବର ପାଇ ଯାଜପୁର ରୋଡ ବନବିଭାଗ କର୍ମଚାରୀ ଘଟଣାସ୍ଥଳରୁ ଚାରିଫୁଟ ଲମ୍ବର ଏକ ନାଗସାପକୁ ଉଦ୍ଧାର କରିଛନ୍ତି। ଘଟଣାରୁ ଜଣାପଡିଛି ଯେ, ଗତ ତିନିଦିନ ତଳେ ତିନିବର୍ଷର ଛୋଟ ଶିଶୁଟି ଖେଳୁଥିବା ବେଳେ ଏହି ନାଗସାପଟି କାମୁଡି ଥିଲା। ଫଳରେ ଗୁରୁତର ଅବସ୍ଥାରେ ପ୍ରଥମେ ଦାନଗଦି, ଯାଜପୁର ଟାଉନ ମେଡିକାଲ ନେବାପରେ ଡାକ୍ତର କଟକ ବଡ଼ ମେଡ଼ିକାଲକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। କଟକରେ ଶିଶୁଟି ଚିକିତ୍ସିତ ହେଉଥିବାରୁ ଉକ୍ତ ସାପଟିକୁ ଶିଶୁର ଦାଦା ଧରି ଏକ ଡ୍ରମ ଭିତରେ ରଖିଥିଲେ। ଗତକାଲି ଅପରାହ୍ନରେ ବନବିଭାଗ ସାପକୁ ଆଣିବାକୁ ଯାଇଥିଲେ ମଧ୍ୟ ଶିଶୁ ନଫେରିବା ପର୍ଯ୍ୟନ୍ତ ସାପକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଜିଦ ଧରିଥିଲେ।