ଯାଜପୁର: ଆଜି ହେଉଛି ପବିତ୍ର ଭୈମ ଏକାଦଶୀ । ପ୍ରତିବର୍ଷ ଆଜି ଦିନ ଠୁଁ ଆରମ୍ଭ ହୋଇଥାଏ ଯାଜପୁରର ପ୍ରସିଦ୍ଧ ବ୍ୟାସସରୋବର ମେଳା ଓ ମହୋତ୍ସବ । ମାତ୍ର ଏଥର କୋରୋନା ପାଇଁ ଏବର୍ଷ ଏହାକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ ପ୍ରଶାସନ । କେବଳ ପରମ୍ପରା ରକ୍ଷା ପାଇଁ ମନ୍ଦିରରେ ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କ ପୂଜାର୍ଚ୍ଚନା ଚାଲିଛି । ତେବେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଏହି ପୁରାଣ ପ୍ରସିଦ୍ଧ ବ୍ୟାସସରୋବର ପୀଠ ଏଥର ଖାଁ ଖାଁ ପରି ଲାଗୁଛି । ପୌର ପରିଷଦ ପକ୍ଷରୁ ବିଗତ ପ୍ରାୟ 15 ବର୍ଷ ହେବ ଆୟୋଜିତ ହୋଇଆସୁଥିଲା ବ୍ୟାସ ମହୋତ୍ସବ ।
କିମ୍ବଦନ୍ତୀ ଅନୁସାରେ ଶୁଦ୍ରମୁନୀ ସାରଳା ଦାସଙ୍କ ରଚିତ ଓଡିଆ ମହାଭାରତର ଭାରଦା ଉପାଖ୍ୟାନରେ ବ୍ୟାସସରୋବର ପୀଠର ମାହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା ରହିଛି । ପାଣ୍ଡବଙ୍କ ପରାକ୍ରମ ନିକଟରେ ପରାଜୟ ବରଣ କରିବା ପରେ ଦୁର୍ଯ୍ୟୋଧନ ଏକଦା ଏଠାରେ ଥିବା ଗୁପ୍ତଗଙ୍ଗାରେ ଲକ୍ଷ୍ମୀଙ୍କ କୋଳରେ ଲୁଚି ରହିଥିବା ପୁରାଣରେ ବର୍ଣ୍ଣିତ ରହିଛି । ଏହିଠାରେ ଦୁର୍ଯ୍ୟୋଧନଙ୍କ ଜାନୁଭଗ୍ନ ପରେ ସେ ନିଧନ ହୋଇଥିବା ପୂରାଣରେ ବର୍ଣ୍ଣନା ରହିଛି ।