ଯାଜପୁର: ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡାଟା ଅଟୋମେସନ ସିଷ୍ଟମ ବା ଡ୍ୟାସ୍ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ କାର୍ଯ୍ୟ, ପ୍ରକଳ୍ପ ବା ଅଭିଯୋଗକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ବୈଷୟିକ ଉପଯୋଗ ସହ ବିଜ୍ଞାନ ସମ୍ମତ ଭାବେ କରାଯାଇପାରିବ ସେ ସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା ।
ପାରମ୍ପାରିକ ଭାବେ ଅଫଲାଇନରେ ବିଭିନ୍ନ କାର୍ଯ୍ୟ କଲାବେଳେ ସାଧାରଣତଃ ଅଧିକ ସମୟ, ଅଧିକ ଲୋକ ଲାଗିବା ସହ ତୃଟିର ସମ୍ଭାବନା ରହିଥାଏ । ତେବେ ଏହି ଡାଟା ଅଟୋମେସନ ସିଷ୍ଟମ ବା ଡ୍ୟାସ୍ ମାଧ୍ୟମରେ ଏହା ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଛତାର ସହ ହୋଇପାରିବ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଥିଲେ । ତେଣୁ ପ୍ରତ୍ୟେକ ବିଭାଗର ଡାଟା ଏଣ୍ଟ୍ରି ଅପରେଟର, କମ୍ପ୍ୟୁଟର ପ୍ରୋଗ୍ରାମର ଓ କର୍ମଚାରୀମାନେ ଏହାକୁ ବିଷଦ ଭାବେ ଅବଗତ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।