ଯାଜପୁର: ଖବର ବାଜିଲା, ଟଙ୍କା ଫେରସ୍ତ ହେଲା । ମାଟ୍ରିକ ସାର୍ଟିଫିକେଟ ପାଇଁ ନିଆ ଯାଇଥିବା ଟଙ୍କାକୁ ଘର ଘର ବୁଲି ଫେରସ୍ତ କଲେ ଶିକ୍ଷକ । ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଶାଳୀଜଙ୍ଗା ପଞ୍ଚାୟତ ହାଇସ୍କୁଲ(Panchayat High School at Salijanga)ରେ ୨୦୦ ଶହ ଟଙ୍କା ଦେଲେ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ସାର୍ଟିଫିକେଟ ଦିଆଯାଉଥିବା ଅଭିଯୋଗ ହୋଇଥିଲା । ଏହି ଖବର ‘ଇଟିଭି ଭାରତ’ରେ ପ୍ରସାରିତ ପରେ ଏବେ ଛାତ୍ରଛାତ୍ରୀଙ୍କ ଘର ଘର ବୁଲି ଟଙ୍କା ଫେରାଇଛନ୍ତି ଶିକ୍ଷକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ଜଣେ ଶିକ୍ଷକ ଓ ସ୍କୁଲ କର୍ମଚାରୀ ବର୍ଷା ସମୟରେ ବୁଲି ବୁଲି ଟଙ୍କା ଫେରାଉଥିବା ଦେଖିବାକୁ ମିଳିଛି ।
ଘର ଘର ବୁଲି ଟଙ୍କା ଫେରସ୍ତ କଲେ ଶିକ୍ଷକ ଏହା ମଧ୍ୟ ପଢନ୍ତୁ-୨୦୦ ଟଙ୍କା ଦେଲେ ମିଳୁଛି ମାଟ୍ରିକ ସାର୍ଟିଫିକେଟ, ଅଭିଯୋଗ ଆଣିଲେ ଛାତ୍ର
ସୂଚନା ଅନୁଯାୟୀ, ଯାଜପୁର ଶାଳୀଜଙ୍ଗା ପଞ୍ଚାୟତ ହାଇସ୍କୁଲରେ ଚଳିତ ବର୍ଷ ମୋଟ ୬୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପାସ କରିଛନ୍ତି । ମାଟ୍ରିକ ସାର୍ଟିଫିକେଟ ନେବା ପାଇଁ ବିଦ୍ୟାଳୟକୁ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀ ଆସୁଥିବା ବେଳେ ତାଙ୍କ ଠାରୁ ୨ଶହ ଟଙ୍କା ନେଇ ସାର୍ଟିଫିକେଟ ଦିଆଯାଉଥିଲା । ଯଦି କେହି ଟଙ୍କା ଦେବାକୁ ମନା କରୁଥିଲା ତେବେ ଟଙ୍କା ଦେଲେ ସାର୍ଟିଫିକେଟ ଦିଆଯିବା ନେଇ କହୁଥିଲେ ପ୍ରଥାନ ଶିକ୍ଷକ । ୫୯ ଜଣ ଛାତ୍ରଛାତ୍ରୀ ଟଙ୍କା ଦେଇ ସାର୍ଟିଫିକେଟ ନେଇଥିବା ବେଳେ ସବ୍ୟସାଚୀ ନାମକ ଜଣେ ଛାତ୍ର ଏହାକୁ ପ୍ରତିବାଦ କରିଥିଲେ । ସେ ଟଙ୍କା ଦେଇ ସାର୍ଟିଫିକେଟ ନେବାପରେ ଶିକ୍ଷକଙ୍କୁ ରସିଦ ମାଗିଥିଲେ। କିନ୍ତୁ ଶିକ୍ଷକ ୨୦୨୦ ମସିହାର ଏକ ରସିଦ ଦେଇଥିଲେ। ଯେଉଁଥିରେ କିଛି ଷ୍ଟାମ୍ପନଥିଲା, ଏନେଇ ଶିକ୍ଷକଙ୍କୁ ପଚାରିବାରୁ ସେ ରସିଦରେ ଷ୍ଟାମ୍ପ ମରାଯାଏ ନାହିଁ ବୋଲି କହିଥିବା ଗଣମାଧ୍ୟମ ସମ୍ମୁଖରେ କହିଥିଲେ ସବ୍ୟସାଚୀ ।ଏନେଇ ପ୍ରଧାନ ଶିକ୍ଷକଙ୍କୁ ଫୋନ ଯୋଗେ ପଚାରିବାରୁ ସ୍କୁଲ ଡେଭଲପମେଣ୍ଟ ପାଇଁ ଛାତ୍ରଛାତ୍ରୀ ମାନଙ୍କ ଠାରୁ ପଇସା ନେବାର ନିୟମ ରହିଥିବା କହିଥିଲେ ପ୍ରଧାନ ଶିକ୍ଷକ ବସନ୍ତ ବାରିକ ।
ଏହି ଖବର ପ୍ରସାରିତ ହେବା ପରେ ରବିବାର ସକାଳୁ ପ୍ରବଳ ବର୍ଷା ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ଘରକୁ ଘର ବୁଲି ୨୦୦ ଟଙ୍କା ଲେଖାଏଁ ଫେରାଇ ଥିଲେ ଶିକ୍ଷକ । ତେବେ ପ୍ରଧାନ ଶିକ୍ଷକ ଓ ସ୍କୁଲର କର୍ମଚାରୀ ଏହି ଭୁଲ ବୁଝିପାରି ଏତେ ବର୍ଷାରେ ଘରଘର ବୁଲି ଟଙ୍କା ଫେରାଇ ଥିବାରୁ ଶିକ୍ଷକଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି । ଟଙ୍କା ଫେରସ୍ତ ହେବା ପରେ ଅଭିଯୋଗ କରିଥିବା ଛାତ୍ର ସବ୍ୟସାଚୀ କହିଛନ୍ତି ଯେ,''ମୁଁ ସ୍କୁଲକୁ ମାଟ୍ରିକ ସାର୍ଟିଫିକେଟ ପାଇଁ ଯାଇଥିଲା, ଏଥିପାଇଁ ମୁଁ ଦୁଇଶହ ଟଙ୍କା ମଧ୍ୟ ଦେଇଥିଲି, ଏହି ଖବର ଗଣମାଧ୍ୟମରେ ପ୍ରସାରଣ ପରେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଘର ଘର ବୁଲି ଟଙ୍କା ଫେରସ୍ତ କରିଛନ୍ତି'' ।