ଯାଜପୁର: ସାରା ରାଜ୍ୟରେ ବୋହିଲାଣି ନିର୍ବାଚନୀ ହାୱା। ରାଜରାସ୍ତାରୁ ରାଜଧାନୀ, ଗାଁରୁ ସହର ସବୁଠି ନିର୍ବାଚନ ମାହୋଲ । ଗୋଟିଏ ଚର୍ଚ୍ଚା, କଣ ହେବ ନିର୍ବାଚନ, କାହା ସପକ୍ଷରେ ଯିବ ଫଳାଫଳ । ରାଜନୈତିକ ଦଳ ପ୍ରସ୍ତୁତ କରୁଛନ୍ତି ପ୍ରସଙ୍ଗ । ଭୋଟର ଖୋଜୁଛି ହିସାବ ନିକାସ । ଏହି ଚର୍ଚ୍ଚା ଆଲୋଚନା ଏବେ ପ୍ରତି ଜିଲ୍ଲା, ନିର୍ବାଚନ ମଣ୍ଡଳୀ ଡେଇଁ ଗାଁରେ ପହଞ୍ଚିଲାଣି । ଏହି ଚର୍ଚା ଆଲୋଚନା ଭିତରେ ରାଜ୍ୟର ଏକ ସର୍ବପୁରାତନ ବିଧାନସଭା ନିର୍ବାଚନ ମଣ୍ଡଳୀ ଯାଜପୁର କୋରେଇକୁ ନେଇ ସରଗରମ ରାଜନୀତି । ଗତ ତିନୋଟି ନିର୍ବାଚନରେ ଏଠି ବିଜେଡି ଅପରାଜୟେ ଥିବା ବେଳେ ବିକାଶ କିନ୍ତୁ ବାଟ ହୁଡିଛି । ଦୀର୍ଘ ମିଆଦି ବିକାଶ ଦୂରରେ ଥାଉ ମୌଳିକ ସମସ୍ୟା ଏଯାଏଁ ହୋଇପାରି ନାହିଁ ସମାଧାନ । ଶିଳ୍ପ ବହୁଳ ଯାଜପୁର ଜିଲ୍ଲାର କୋରେଇର ବିକାଶ ନେଇ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ଲଢେଇ । ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ କଣ କହୁଛି କୋରେଇ ରାଜନୀତି ।
ଅଧିକ ପଢନ୍ତୁ- 5 ବିଧାୟକଙ୍କ କଟିଲା ଟିକେଟ୍: କୋରେଇ ଆକାଶରୁ ହଜିଗଲେ ‘ଆକାଶ’
ଶିଳ୍ପ ବହୁଳ ଯାଜପୁର ଜିଲ୍ଲାରେ ଅସଜଡା କୋରେଇ ବିଧାନସଭା କ୍ଷେତ୍ର । ନାମକୁ ମାତ୍ର ଶିଳ୍ପର ମୁଖଶାଳା ମୁଣ୍ଡାଇଛି କୋରେଇ । ଗାଁ ଗାଁରେ ପହଞ୍ଚି ପାରିନାହିଁ ବିକାଶର ହାଇଟେକ ଗାଡି । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟ ଜଳ, ପରିମଳ, ବନ୍ୟା ନିୟନ୍ତ୍ରଣ, ରେଳ ଅଭର ବ୍ରିଜ ଭଳି ସମସ୍ୟାର ସମାଧାନ କେବେ ହେବ ଅପେକ୍ଷା କରିଛନ୍ତି କୋରେଇ ବିଧାନସଭା ବାସୀ। ନିର୍ବାଚନ ଆସୁଛି ଯାଉଛି । ନୂଆ ବିଧାୟକ ହେଉଛନ୍ତି । ପ୍ରତିଶୃତି ମିଳୁଛି । ହେଲେ କେବେ ପୂରଣ ହେଉନାହିଁ । ଯାହାକୁ ନେଇ ଏବେ ଚର୍ଚ୍ଚା? କଣ ହେବ କରୋଇରେ? କିଏ ହେବେ ପରବର୍ତ୍ତୀ ବିଧାୟକ?
ବୁଦ୍ଧିଜୀବି ତଥା ସଚେତନ ନାଗରିକଙ୍କ କହିବା କଥା ଶିଳ୍ପ ବହୁଳି ଜିଲାରେ କୋରେଇର ଯେତିକି ବିକାଶ ହେବା କଥା ହୋଇନାହିଁ। ଜିଲ୍ଲାର ସମସ୍ତ ବ୍ଲକରେ ଆଖିଦୃଶିଆ ବିକାଶ ହୋଇଛି । ହେଲେ କୋରେଇ ସମ୍ପୂର୍ଣ୍ଣ ରୂପେ ପଛରେ ପଡିଛି । ସରକାରୀ ଦଳକୁ ଯଦିଓ ଗତ ଦୁଇ ଦଶନ୍ଧୀ ହେଲା ଭୋଟର ଭୋଟ ଦେଇ ଆସୁଛନ୍ତି । ହେଲେ ଜନତାଙ୍କ ବିକାଶ ହୋଇପାରୁନାହିଁ । ଯାହା ଚିନ୍ତାର ବିଷୟ । ବିରୋଧୀ ବିଜେପି, କଂଗ୍ରେସ ମଧ୍ୟ ବିକଳ୍ପ ଭାବେ ଉଭା ହୋଇ ପାରୁନାହାଁନ୍ତି ।
ଅଧିକ ପଢନ୍ତୁ- ବ୍ୟାସନଗରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଶୁଭାରମ୍ଭ କଲେ ବିଧାୟକ ଅଶୋକ ବଳ
ମତ ମନ୍ତବ୍ୟ:-ଏହାକୁ ନେଇ ବର୍ତ୍ତମାନର କୋରେଇ ବିଧାୟକ ଅଶୋକ ବଳ କହିଛନ୍ତି ଗମନା ଗମନ ପାଇଁ ରାସ୍ତା, ବ୍ରିଜ ବହୁ ମାତ୍ରାରେ ହୋଇଛି । ଜଳସେଚନ ନେଇ ବ୍ୟାପକ ବିକାଶ ହୋଇଛି । ନଦୀବନ୍ଧକୁ ସୁଦୃଢ କରାଯାଉଛି । କୋରେଇ ବିକାଶ ପାଇଁ ସରକାର ସବୁ ସହାୟତ ଦେଉଛନ୍ତି । ଆଗାମୀ ଦିନରେ ବିକାଶ ଆହୁରି ହେବ। ଦଳୀୟ ପ୍ରାର୍ଥୀ ନେଇ କୌଣସି ପରିବର୍ତ୍ତନ ହୋଇନପାରେ । ସେହିପରି ବିଜେପି ଟିକେଟ ଆଶାୟୀ ବିଶ୍ବଜିତ ନାୟକ କହିଛନ୍ତି ଜିଲ୍ଲାର ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ ହେଉଛି କୋରେଇ। ଗ୍ରାମାଞ୍ଚଳ ସମେତ ବ୍ୟାସନଗରରେ ବିକାଶ କିଛି ନାହିଁ। ଦୁର୍ନୀତିରେ ବୁଡିଛି ଶାସନ ପ୍ରଶାସନ । ତେଣୁ ଏଥର ବିଜେପିକୁ ବାଛିବେ ଲୋକେ । ସେହିଭଳି କଂଗ୍ରେସ ଟିକେଟ ଆଶାୟୀ ବନ୍ଦିତା ପରିଡା ସ୍ଥାନୀୟ ସମସ୍ୟା ଉଠାଇବା ସହିତ କହିଛନ୍ତି ଜିଲ୍ଲାରେ ଏକାଧିକ ପ୍ଲାଣ୍ଟ ଅଛି । ହେଲେ ସ୍ଥାନୀୟ ନିଯୁକ୍ତି ନାହିଁ। ଜଳସେଚନ ନାହିଁ। SHG ନାରେ ମହିଳାଙ୍କୁ ପଥଭ୍ରଷ୍ଟ କରାଯାଉଛି। କଂଗ୍ରେସ ଲୋକଙ୍କ ସହିତ ଅଛି । ଆଗାମୀ ଦିନରେ କଂଗ୍ରେସ କୋରେଇର ବିକଳ୍ପ ହେବ ।
କୋରେଇ ବିଧାନସଭା ଆସନ ଗଠନ/ ବିଧାୟକ : - ୧୯୭୪ ମସିହାରେ ଗଠନ ହୋଇଥିବା କୋରେଇ ବିଧାନସଭା ଆସନର ପ୍ରଥମ ବିଧାୟକ ହୋଇଥିଲ ଅଶୋକ ଦାସ । ପୁଣି ଥରେ 1977 ରେ ବିଜୟୀ ହୋଇଥିଲେ ଅଶୋକ । ଉତ୍କଳ କଂଗ୍ରେସରୁ ପ୍ରଥମ ଥର ପ୍ରାର୍ଥୀ ହୋଇଥିବା ଅଶୋକ ଦାସ ପରବର୍ତ୍ତୀ ସମୟରେ ଜେଡି(ଏସ) ଓ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି 1980 ମସିହାରେ ନିରଞ୍ଜନ ଜେନା ବିଧାୟକ ହୋଇଥିବା ବେଳେ, 1985 ରେ କଂଗ୍ରେସ ଏଠି ଖାତା ଖୋଲିଥିଲା । ରାମ ଚନ୍ଦ୍ର ଖୁଣ୍ଟିଆ କଂଗ୍ରେସ ଟିକେଟରୁ ବିଧାନସଭା ଯାଇଥିଲେ । ଏହାପରେ 1990 ମସିହା ନିର୍ବାଚନରେ ଅଶୋକ ଦାସ ବିଜୟୀ ହେବା ସହ ଲଗାତାର ହ୍ୟାଟ୍ରିକ ମାରିଥିଲେ । ପରବର୍ତ୍ତୀ ସମୟରେ ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ହେବା ସହ ଓଡିଶାରେ ବିଜେଡି ବିଜେପି ମେଣ୍ଟ ଗଠନ ହୋଇସାରିଥାଏ। ଆସନ ବୁଝାମଣା ସ୍ବରୂପ 2004 ନିର୍ବାଚନରେ ବିଜେପି ଭାଗରେ ପଡିଲା କୋରେଇ ଆସନ । ପ୍ରାର୍ଥୀ ହୋଇଥିଲେ ସଞ୍ଜିତା ମହାନ୍ତି । ସଞ୍ଜିତା ମଧ୍ୟ ଗୈରିକ ଉଡାଇ କୋରେଇର ପ୍ରଥମ ମହିଳା ବିଧାୟକ ହେବାର ସୌଭାଗ୍ୟ ଲାଭ କରିଥିଲେ । ସେହିପରି ୨୦୦୯ ମେଣ୍ଟ ଭାଙ୍ଗିବା ପରେ କୋରେଇ ରାଜନୀତିରେ କଡ ଲେଇଟାଇଥିଲା । ବିଜେଡି ପ୍ରାର୍ଥୀ ପ୍ରୀତି ରଞ୍ଜନ ଘଡେଇ ବିଧାୟକ ନିର୍ବାଚିତ ହୋଇଥିଲେ । 2014 ରେ ଶାସକ ଦଳ ପ୍ରାର୍ଥୀ ପରିବର୍ତ୍ତନ କରି ଅଭିନେତାରୁ ରାଜନେତା ପାଲଟିଥିବା ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଆକାଶ ମଧ୍ୟ ଅଭିନେତା ଛବି ନିଜ ପିତା ତଥା ବିଶିଷ୍ଟ ଶ୍ରମିକ ନେତା ମାୟାଧର ନାୟକଙ୍କ ସଂଗଠନକୁ ପାଥେୟ କରି ବିଜୟୀ ହୋଇଥିଲେ । ପୁଣି 2019 ନିର୍ବାଚନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରି ତୃଣମୂଳ ସ୍ତରର ନେତା ଅଶୋକ ବଳଙ୍କୁ ପ୍ରାର୍ଥୀ କରିଥିଲା । ଅଶୋକ ବଳ ମଧ୍ୟ ବିଜୟୀ ହୋଇ ଏବେ ବିଧାୟକ ଅଛନ୍ତି । ଏବେ ଚର୍ଚ୍ଚା ଆଗାମୀ ନିର୍ବାଚନରେ ଅଶୋକ ରିପିଟ ହେବେ ନା ପରିବର୍ତ୍ତନ କରିବ ଦଳ ।