ଓଡିଶା

odisha

By

Published : Jul 10, 2020, 3:24 PM IST

ETV Bharat / state

ଖଣି ଉପତ୍ୟାକାରେ ମିଳୁନି ପିଇବା ପାଣି, ଆଉଟୁ ପାଉଟୁ 30 ହଜାର ଲୋକ

ଯାଜପୁର ଜିଲ୍ଲା ସୁକିନ୍ଦା ଉପତ୍ୟାକାରେ ରହିଛି ମାଳ ମାଳ ଖଣି । ହେଲେ ଖଣି ଇଲାକାରେ ମିଳୁନି ବିଶୁଦ୍ଧ ପାଣି । ଫଳରେ ବିଶୁଦ୍ଧ ପାଣି ପିଇବାରୁ ବଞ୍ଚିତ ହେଉଛନ୍ତି କାଳିଆପାଣି ଖଣି ଅଞ୍ଚଳର 5 ଟା ପଞ୍ଚାୟତରୁ 30 ହଜାର ଲୋକ । ଦେଖନ୍ତୁ ଇଟିଭି ଭାରତର ସ୍ପସିଆଲ ରିପୋର୍ଟ...

ଖଣି ଉପତ୍ୟାକାରେ ପାଣିର ଅଭାବ, ହନ୍ତସନ୍ତ 30 ହଜାର ଲୋକ
ଖଣି ଉପତ୍ୟାକାରେ ପାଣିର ଅଭାବ, ହନ୍ତସନ୍ତ 30 ହଜାର ଲୋକ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଉପତ୍ୟାକାରେ ରହିଛି ମାଳ ମାଳ ଖଣି । ହେଲେ ଖଣି ଇଲାକାରେ ମିଳୁନି ବିଶୁଦ୍ଧ ପାଣି । ଏ ହେଉଛି ସେଇ ସୁକିନ୍ଦା ଖଣି ଉପତ୍ୟାକାର କାଳିଆପାଣି ଖଣି ଅଞ୍ଚଳ ଯେଉଁଠି ପାଞ୍ଚଟା ପଂଚାୟତରେ ପାଖାପାଖି 30 ହଜାର ଲୋକ ବସବାସ କରନ୍ତି । ହେଲେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି କାଳିଆପାଣି ପଞ୍ଚାୟତର ଗୁରୁଜଙ୍ଗ, ଓସ୍ତପାଳ, ପାଟଣା, ବୁରୁସାହିର ଲୋକ । ନଳକୂପରୁ ବାହାରୁଛି ଦୂଷିତ ଓ ଖାର ପାଣି । ଫଳରେ ନଳକୂପ ଥାଇ ବି ନଥିବା ସାଙ୍ଗରେ ସମାନ ।

ଖଣି ଉପତ୍ୟାକାରେ ପିଇବାକୁ ମିଳୁନି ପାଣି, ଆୁଟୁ ପାଉଟୁ 30 ହଜାର ଲୋକ

ପାଖରେ ଥିବା ଡମଶାଳା ନାଳ ପାଣି ବି ବିଷାକ୍ତ । ଖଣିରୁ ନିର୍ଗତ ବର୍ଜ୍ୟବସ୍ତୁ ନାଳ ପାଣିରେ ମିଶି ଏହାକୁ ବିଷାକ୍ତ କରିଛି । ସେପଟେ କାଳିଆପାଣି ଗୋଟିଏ ଖଣି ସଂସ୍ଥା ପକ୍ଷରୁ ଟ୍ୟାଙ୍କରରେ ଘର ଘର ବୁଲି ପାଣି ଯୋଗାଇ ଦିଆଯାଉଛି । ହେଲେ ତାହା ପର୍ଯ୍ୟାପ୍ତ ହେଉନାହିଁ । ତେବେ ଏଠାକାର ଅନେକ ଲୋକ ଖଣି ଖାଦାନରେ କାମ କରୁଥିବା ବେଳେ ପିଇବା ପାଣି ଏମାନଙ୍କ ପାଇଁ ବଡ ସମସ୍ୟା ଭାବରେ ମୁଣ୍ଡ ଟେକିଛି ।

ଏଇ ଖଣି ଅଞ୍ଚଳର ପାଣି ସମସ୍ୟା ଦୂର କରିବା ପାଇଁ ମେଗା ପ୍ରକଳ୍ପ ଗଢିବାକୁ ନିଷ୍ପତ୍ତି ନେଇଥିଲେ ସରକାର । 3 ବର୍ଷ ହେବ ଏହି ମେଗା ପାଣି ପ୍ରକଳ୍ପର ନିର୍ମାଣ ଚାଲିଛି । ହେଲେ କେବେ ଏହା ଶେଷ ହୋଇ କାର୍ଯ୍ୟକ୍ଷମ ହେବ ତାହା ନେଇ ସନ୍ଦେହରେ ପଡିଛନ୍ତି ଅଞ୍ଚଳବାସୀ । ବିଭିନ୍ନ ଅଞ୍ଚଳରେ ପାଇପ୍ ଲାଇନ୍ ବିଛା ଯାଇଛି । ହେଲେ ପ୍ରକଳ୍ପ କାମ ସରୁନଥିବାରୁ ଖଣି ଅଞ୍ଚଳର ଲୋକେ ସ୍ବଚ୍ଛ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ଯାଏ କାହାକୁ ବି ଏକଥା ଅଛପା ନାହିଁ ।

ଖଣିସଂସ୍ଥା ଗୁଡିକ ମୂଲ୍ୟବାନ କ୍ରୋମାଇଟ ଖଣିରୁ କୋଟି କୋଟି ଟଙ୍କାର ଲାଭ ପାଉଛନ୍ତି । ହେଲେ ଏଇସଂସ୍ଥା ଗୁଡିକ ଆଖ ପାଖ ରେ ରହୁଥିବା ଲୋକଙ୍କ ପ୍ରତି ନିଜ ର କର୍ପୋରେଟେ ସୋସିଆଲ ରେସପନସିବିଲିଟି ଭୁଲି ଯାଇଛନ୍ତି ଯା ଦ୍ବାରା ପିଇବା ପାଣିରୁ ବଞ୍ଚିତ ଏଠାକାର ଲୋକେ । ତେବେ ଏଥିପ୍ରତି ପ୍ରଶାସନ ଓ ସ୍ଥାନୀୟ ଖଣିସଂସ୍ଥା ଗୁଡିକ ଏହାର ସ୍ଥାୟୀ ସମାଧାନ ପାଇଁ ଧ୍ୟାନ ଦେବା ଜରୁରୀ ହୋଇପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details