ଯାଜପୁର: ସଙ୍କଟରେ ଆଖୁ ଚାଷୀ । ଅମଳ ସମୟରେ କୋରୋନା ମାଡ, ଦୋହ୍ଲଲାଇ ଦେଇଛି ଚାଷୀର ମେରୁଦଣ୍ଡ । କେଉଁଠି ଜମିରେ ପଡିପଡି ଆଖୁ ପଚିଗଲାଣି ତ ଆଉ କେଉଁଠି ଶୁଖି ଜାଲେଣି ପାଇଁ ପ୍ରସ୍ତୁତ ହେଲାଣି । କାରଣ ଲକଡାଉନ ପାଇଁ ବଜାର ବନ୍ଦ, ପରିବହନ ବି ଠପ । କି ଖୋଲୁନି କାରଖାନା । ଫଳରେ ଯାଜପୁରର ଜିଲ୍ଲାର ହଜାରରୁ ଊର୍ଦ୍ଧ୍ବ ଚାଷୀ ଏବେ କୋରୋନା କଟକଣାରେ ହତାଶ ହୋଇପଡିଛନ୍ତି ।
ଆଖୁ ଉତ୍ପାଦନରେ ଯାଜପୁର ହେଉଛି ଅଗ୍ରୀଣ ଜିଲ୍ଲା । ଏଠାରେ ପ୍ରତ୍ୟେକ ଚାଷୀ ଅତିକମରେ ୧୦ରୁ ୧୫ଏକର ଜମିରେ ଆଖୁ ଚାଷ କରିଥାନ୍ତି । ଏକର ପିଛା 60 ହଜାର ଟଙ୍କା ବ୍ୟୟ ହିସାବରେ ୧୦ ଏକରରେ ଆନୁମାନିକ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ବାର୍ଷିକ ପାଖାପାଖି ଦେଢ କ୍ବିଣ୍ଟାଲ ଆଖୁ ଅମଳ ହୋଇ ଚିନିକଳକୁ ଯାଏ । ହେଲେ ଚଳିତ ବର୍ଷ ଲକଡାଉନ ଯୋଗୁଁ ବ୍ୟାପକ କ୍ଷତି ସହିଲେଣି । ସେପଟେ, ଋଣଭାର ଓ ପରିବାର ଭରଷପୋଷଣ କେମିତି କରିବେ ସେ ଚିନ୍ତାରେ ଚାଷୀକୂଳ। ସରକାର ଚାଷକାର୍ଯ୍ୟ ପାଇଁ ସାମାନ୍ୟ କଟକଣା କୋହଳ କରିବାକୁ ଦାବି କରିଛନ୍ତି ଚାଷୀ ।