ଓଡିଶା

odisha

By

Published : Aug 22, 2019, 2:20 PM IST

ETV Bharat / state

ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ: ବିନା ପ୍ରତିଦ୍ବନ୍ଦ୍ବିତାରେ ସୁବାସିନୀ ନିର୍ବାଚିତ

ବରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ପାଇଁ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଥିଲା । 29 ଗୋଟି ପଞ୍ଚାୟତ ବିଶିଷ୍ଟ ବରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାବେ ସୁବାସିନୀ ଶର୍ମା ନିର୍ବାଚିତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ବରୀ ପଞ୍ଚାୟତ ସମିତି ପୁଣି ଥରେ ବିଜେପି ଦଖଲରେ । ବରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଥିଲା । 29 ଗୋଟି ପଞ୍ଚାୟତ ବିଶିଷ୍ଟ ବରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାବେ ସୁବାସିନୀ ଶର୍ମା ନିର୍ବାଚିତ ହୋଇଛନ୍ତି ।

ଗତ ପଞ୍ଚାୟତ ନିର୍ବାଚନରେ ସୁବାସିନୀ ବରୀ ବ୍ଲକ ଅଲ୍ଲୀପୁର ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରିଆସୁଥିଲେ । ସେତବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ସୁନନ୍ଦା ଦାସ 21ଖଣ୍ଡ ଭୋଟ ପାଇ ବରୀ ବ୍ଲକର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ବିଜେଡିକୁ 7ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସକୁ ମିଳିଥିଲା ମାତ୍ର ଖଣ୍ଡିଏ ଭୋଟ୍ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଗତ ସାଧାରଣ ନିର୍ବାଚନରେ ସୁନନ୍ଦା ବିଜେପି ଛାଡି ବିଜେଡିରେ ଯୋଗଦେବା ସହ ବିଜେଡିର ବିଧାୟକ ଟିକେଟ୍ ହାତେଇଥିଲେ ଏବଂ ବିଜୟ ଲାଭ କରି ବରୀ ବିଧାୟକା ରହିଛନ୍ତି । ବିଧାୟିକ ହେବା ପରେ ସୁନନ୍ଦା ଅଧ୍ୟକ୍ଷା ପଦ ଛାଡିଥିଲେ । ଫଳରେ ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଥିଲା । ଏଥିରେ ବିନା ପ୍ରତିଦ୍ବନ୍ଦ୍ବିତାରେ ସୁବାସିନୀ ନିର୍ବାଚିତ ହୋଇଛନ୍ତି ।

ବିଜେପି ନେତା ତଥା ବିଜେପିର ବରୀ ବିଧାୟକ ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକଙ୍କ ନେତୃତ୍ବରେ ଗୁରୁବାର ଉପନିର୍ବାଚନ ପାଇଁ ସୁବାସିନୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏଥିରେ ବିଜେଡି ଏବଂ କଂଗ୍ରେସର ସମିତି ସଭ୍ୟ ସଂଖ୍ୟା କମ୍‌ ଥିବାରୁ ଉଭୟ ଦଳ ଏହି ନିର୍ବାଚନରେ ପ୍ରାର୍ଥୀ ଦେଇ ନଥିଲେ । ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ସହ ଉପନିର୍ବାଚନ ଶେଷ ହେବା ସହ ନିର୍ଦ୍ବନ୍ଦ୍ବରେ ସୁବାସିନୀ ବିଜୟୀ ଘୋଷିତ ହୋଇଛନ୍ତି ।

ବିଜୟ ପରେ ବରୀ ପଞ୍ଚାୟତ ବିଜେପି କର୍ମୀଙ୍କ ମହଲରେ ଖୁସିର ବାତାବରଣ ଦେଖାଦେଇଛି । ବିଗତ ଦିନରେ ବରୀ ବ୍ଲକରେ ହୋଇଥିବା ବିଭିନ୍ନ ଦୁର୍ନୀତିର ମୂଳୋତ୍ପାଟନ କରିବା ସହ ବ୍ଲକର ସମସ୍ତ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ସୁବାସିନୀ । ସୁବାସିନୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ସେପଟେ ବିଜେଡି କୌଣସି ପ୍ରାର୍ଥୀ ଦେଇନଥିବା ବେଳେ ବିଜେଡି ଶିବିରରେ ନୈରାଶ୍ୟ ଦେଖାଦେଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details