ଯାଜପୁର: ଦୁଇ ବର୍ଷର ଅପେକ୍ଷା ପରେ ଯାଜପୁର ଖଣ୍ଡିତରରେ ଆୟୋଜିତ ହୋଇଛି ସର୍ବ ଭାରତୀୟ କବାଡ଼ି ପ୍ରତିଯୋଗିତା । ଦୁଇ ବର୍ଷର ଅନ୍ତରାଳ ପରେ ଖଣ୍ଡିତରରେ ଆୟୋଜିତ ହୋଇଛି ୬୭ତମ ସର୍ବଭାରତୀୟ କବାଡି ପ୍ରତିଯୋଗିତା । ଯାଜପୁର ଖଣ୍ଡିତର କବାଡ଼ି ସଂଘ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ ହୋଇଛି । ଯାଜପୁର ଏସପି ରାହୁଲ ପିଆର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଆସନ୍ତା 16 ତାରିଖରେ ଏହା ଶେଷ ହେବ ।
ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଚଳିତବର୍ଷ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୋଟ ୨୮ଟି ପୁରୁଷ ଓ ମହିଳା ଦଳ ଭାଗ ନେଇଛନ୍ତି । ପ୍ରତିବର୍ଷ ଠିକ୍ ରଜ ସମୟରେ ଖଣ୍ଡିତରଠାରେ ଏହା ଆୟୋଜନ କରାଯାଇଥାଏ । ମାତ୍ର ମହାମାରୀ କୋରୋନା କଟକଣା ଯୋଗୁଁ ଗତ ୨ ବର୍ଷ ହେବ ଏହି ପ୍ରତିଯୋଗିତା ବନ୍ଦ ରହିଥିଲା । ତେବେ ଚଳିତ ବର୍ଷ ପୁଣି ମହା ଆଡ଼ମ୍ବରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିବାରୁ ବେଶ୍ ଆନନ୍ଦିତ ଅଛନ୍ତି ସ୍ଥାନୀୟ ଲୋକେ । ଟୁର୍ଣ୍ଣାମେଣ୍ଟ ବିଜୟୀ ଦଳ ପାଇଁ ଆର୍ଥିକ ପୁରସ୍କାରର ବ୍ୟବସ୍ଥା କରାଯାଇଥିବା ଆୟୋଜକ କହିଛନ୍ତି । ଆଜିର ଉଦଘାଟନୀ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି ଓ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ ।