ଯାଜପୁର: ଅନ୍ଧ ବିଶ୍ବାସର ଅନ୍ଧଗଳି । ବିଷଧର ସାପ କାମୁଡି ଥିବା ଜଣେ ବ୍ୟକ୍ତିକୁ ଡାକ୍ତରଖାନା ନେବା ପରିବର୍ତ୍ତେ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପରିବାର ଲୋକେ । ମନ୍ଦିରରେ ଅଧିଆ ପଡିବା ସହିତ ଭୋଳାନାଥଙ୍କ ପାଖରେ ଘଣ୍ଟଘଣ୍ଟା ବଜାଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ମେଡିକାଲକୁ ନେବାକୁ ଆସିଥିବା ଆମ୍ବୁଲାନ୍ସର ମଧ୍ୟ ସହାୟତା ନେଇ ନଥିଲେ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଅସନଝର ଗ୍ରାମରେ ଏହି ଭଳି ଏକ ଅନ୍ଧ ବିଶ୍ବାସ ଘଟଣା ସାମ୍ନାକୁ ଆସିଛି ।
ଏହି ଗ୍ରାମର 45 ବର୍ଷୀୟ ରମାକାନ୍ତ ନାୟକ ଆଜି ବିଲକୁ ସାର ପକାଇବାକୁ ଯାଇଥିବାବେଳେ ତାଙ୍କୁ ଏକ ବିଷଧର ତମ୍ପ ସାପ କାମୁଡି ଦେଇଥିଲା । ସାପ କାମୁଡୁଥିବା ଜାଣିପାରି ସେ ସାଙ୍ଗେସାଙ୍ଗେ ବିଲରୁ ଘରକୁ ଆସୁଥିବା ସମୟରେ ଅଧା ବାଟରେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ ।