ଯାଜପୁର: ଅବର୍ଣ୍ଣନୀୟ ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ । ଭାବରେ ଜଣେ ବ୍ୟାକୁଳ ହୁଏ, ତ ଭକ୍ତିରେ ଆଉ ଜଣେ ହୁଏ ବିମୋହିତ । ଭକ୍ତ ପାଇଁ ଭଗବାନ ଯେପରି ଦେଉଳ ଛାଡି ଚାଲିଆସେ, ଭଗବାନ ପାଇଁ ବି ସାରା ସଂସାର ଛାଡି ଦେଉଳକୁ ଧାଇଁଯାଏ ଭକ୍ତ । ଏପରି ଭାବ-ଭକ୍ତି ଭରା ନିଆରା ପର୍ବ ଅନୁଷ୍ଠିତ ହେଉଛି ଯାଜପୁରର ସିଙ୍ଗାପୁର ଯାତରେ । ବର୍ଷ ତମାମ ମଧୁତୀର୍ଥ ପୁଷ୍କରିଣୀରେ ଗୋପନ ସୟନରେ ଥିବା ନାରାୟଣ ଗୋସେଇଁ ପଣା ସଂକ୍ରାନ୍ତିରେ ଦେଉଛନ୍ତି ଦର୍ଶନ ।
ଭକ୍ତଙ୍କୁ ଦର୍ଶନ ଦେବାକୁ ଠାକୁର ପ୍ରତିବର୍ଷ ପଣାସଂକ୍ରାନ୍ତୀରେ ତିନିଦିନ ପାଇଁ ପାଣିରୁ ବାହାରିଥାନ୍ତି । ଭକ୍ତଙ୍କ ମେଳରେ ଠାକୁରଙ୍କୁ ଚାପ ଯୋଗେ ପାଣିରୁ କଢାଯାଇଥାଏ । ବିଧି ସ୍ବରୂପ ଗଡମଧୁପୁର ରାଜଜେମା ଅପର୍ଣ୍ଣା ଧିର ସିଂହ ପ୍ରଥମେ ପଇଡ ପାଣି ଓ ଅନ୍ୟାନ୍ୟ ସୁଗନ୍ଧ ଦ୍ରବ୍ୟରେ ପ୍ରଭୁଙ୍କ ସ୍ନାନ କରାଇବା ପରେ ଠାକୁର ନିକଟସ୍ଥ ନୃସିଂହ ମନ୍ଦିରକୁ ବିଜେ କରିଥିଲେ । ଠାକୁରଙ୍କ ଏହି ନିଆରା ଜଳଚାପ କ୍ରିଡା ଦେଖିବାକୁ ସକାଳ ଠାରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିରହିଛି ।
ପ୍ରତ୍ୟୁଷରେ ନାରାୟଣ ଗୋସେଇଁଙ୍କ ବହୁ ପ୍ରାଚୀନ କଳାମୁଗୁନିର ମୂର୍ତ୍ତୀ ପୁଷ୍କରିଣୀରୁ ବାହାରି ମନ୍ଦିର ବିଜେ କରିଛନ୍ତି । ବର୍ଷ ତମାମ୍ ଏହି ପୋଖରୀ ଜଳରେ ଗୋପନରେ ଶୟନରତ ଥିବା ଠାକୁର ନାରାୟଣ ଗୋସେଇଁ ପଣାସଂକ୍ରାନ୍ତୀ ଠାରୁ ମାତ୍ର ତିନି ଦିନ ପାଇଁ ପାଣିରୁ ବାହାରି ମନ୍ଦିରରେ ଅବସ୍ଥାନ କରନ୍ତି । କୋଭିଡ୍ କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ଏହି ମେଳା ମହୋତ୍ସବ ସ୍ଥଗିତ ରଖାଯାଇଥିଲା । ଏବର୍ଷ ଧୁମଧାମରେ ପାଳିତ ହୋଇଛି ଏହି ପାରମ୍ପରିକ ଉତ୍ସବ ।